UP Inspector Case: ପ୍ରେମ ଜାଲରେ ଫସାଇ ଅଶ୍ଳୀଳ ଭିଡିଓରେ ବ୍ଲାକମେଲ କରୁଥିଲେ ଯୁବତୀ ! ଇନ୍ସପେକ୍ଟରଙ୍କୁ ୧ କୋଟିର ଧମକ
ଉତ୍ତରପ୍ରଦେଶ: ବସ୍ତି ଜିଲ୍ଲାରେ ଇନ୍ସପେକ୍ଟର ସୂର୍ଯ୍ୟପ୍ରକାଶ ସିଂହଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଗଷ୍ଟ ୨୮ ତାରିଖରେ ସେ ଫାଶୀ ଲଗାଇ ଜୀବନ ହାରିଥିଲେ। ପୁଲିସ ତଦନ୍ତ ଅନୁସାରେ, ପ୍ରିୟଙ୍କା ଚୌଧୁରୀ ନାମକ ଜଣେ ମହିଳା ପ୍ରଥମେ ଇନ୍ସପେକ୍ଟରଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ପରେ ତାଙ୍କର ଅଶ୍ଳୀଳ ଭିଡିଓ ରେକର୍ଡ କରି ସେହି ଭିଡିଓ ଦେଖାଇ ବ୍ଲାକମେଲ୍ କରାଯାଉଥିବା ଅଭିଯୋଗ ହୋଇଛି।
ତଦନ୍ତରେ ଆହୁରି ଜଣାପଡ଼ିଥିବା ଅନୁସାରେ, ଇନ୍ସପେକ୍ଟରଙ୍କୁ ଏହି ଭିଡିଓ ନେଇ ଧମକ ଦିଆଯାଇ ୧ କୋଟି ଟଙ୍କା ଦାବି କରାଯାଇଥିଲା। ଏହି ବ୍ଲାକମେଲିଂରେ ପ୍ରିୟଙ୍କାଙ୍କ ବାପା ରାମନୟନ ଚୌଧୁରୀ ଓ ଓକିଲ ବିଜୟ ପ୍ରକାଶ ମଧ୍ୟ ସାମିଲ ଥିବା ପୁଲିସ କହିଛି। ପ୍ରିୟଙ୍କା ପୂର୍ବରୁ ମୁମ୍ବାଇର ବିଭିନ୍ନ ବ୍ୟୁଟି ପାର୍ଲର ଓ ସ୍ପା ସେଣ୍ଟରରେ କାମ କରୁଥିବା ଜଣାପଡ଼ିଛି।
ପୁଲିସ ଏହି ମାମଲାରେ ପ୍ରିୟଙ୍କାଙ୍କ ସମେତ ତାଙ୍କ ବାପା ରାମନୟନ ଚୌଧୁରୀ ଓ ଓକିଲ ବିଜୟ ପ୍ରକାଶଙ୍କୁ ଗିରଫ କରିଛି। ତଦନ୍ତକାରୀଙ୍କ ଅନୁସାରେ, ପ୍ରିୟଙ୍କା ପୂର୍ବରୁ ମଧ୍ୟ ଏକାଧିକ ଲୋକଙ୍କୁ ଏଭଳି ଭାବେ ଫସାଇ ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି। ଇନ୍ସପେକ୍ଟରଙ୍କ ମୃତ୍ୟୁ ପଛରେ ବ୍ଲାକମେଲିଂର ଭୂମିକା ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

