Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Paddy Registration: ଆଜି ରାତି ୧ଟା ପର୍ଯ୍ୟନ୍ତ ଧାନ ପଞ୍ଜୀକରଣ କରିବେ ଚାଷୀ; ସରିଯିବ ଡେଡ୍‌ଲାଇନ୍‌; ଆଉ ବଢ଼ିବନି ଅବଧି

ଭୁବନେଶ୍ୱର: ଖରିଫ ଧାନ କିଣା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଆସିଛି ବଡ଼ ଖବର। ଆଜି ରାତି ୧ଟା ପର୍ଯ୍ୟନ୍ତ ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିପାରିବେ। ଏହାପରେ ପଞ୍ଜୀକରଣର ଅବଧି ଆଉ ବଢ଼ାଯିବ ନାହିଁ ବୋଲି ସହକାରୀ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୨୧ ଲକ୍ଷ ୪୨ ହଜାର ୭୨୩ ଜଣ ଚାଷୀ ପଞ୍ଜୀକରଣ କରିସାରିଛନ୍ତି।

ଚାଷୀଙ୍କ ସୁବିଧା ଓ ହିତକୁ ଦୃଷ୍ଟିରେ ରଖି ପୂର୍ବରୁ ସରକାର ପଞ୍ଜୀକରଣ ସମୟସୀମାକୁ ୭ ଦିନ ବଢ଼ାଇଥିଲେ। ପୂର୍ବ ନିର୍ଦ୍ଧାରିତ ଅଗଷ୍ଟ ୩୧ ତାରିଖର ଶେଷ ତାରିଖକୁ ବଢ଼ାଇ ସେପ୍ଟେମ୍ବର ୭ କରାଯାଇଥିଲା। ବନ୍ୟା, ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ଅନଲାଇନ୍‌ ସର୍ଭର ସମସ୍ୟା ଯୋଗୁଁ କିଛି ଚାଷୀ ପଞ୍ଜୀକରଣ କରିପାରିନଥିବାରୁ ଏହି ସମୟ ବୃଦ୍ଧି କରାଯାଇଥିଲା।

ମନ୍ତ୍ରୀଙ୍କ କହିବା ଅନୁସାରେ, ଗତବର୍ଷ ରାଜ୍ୟରେ ପ୍ରାୟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ତାହାଠାରୁ ଯଥେଷ୍ଟ ଅଧିକ ହୋଇଛି। ଏହାସହ ରାଜ୍ୟରେ ସାର ଯୋଗାଣକୁ ନେଇ ମଧ୍ୟ ସରକାର ନଜର ରଖିଥିବା ସେ କହିଛନ୍ତି। ତାଙ୍କ ଅନୁସାରେ, ରାଜ୍ୟରେ ୨୪ ହଜାର ୪୦୦ ଟନ୍‌ ସାର ଗଚ୍ଛିତ ରହିଛି ଏବଂ ଅବହେଳା କଲେ ଡିଲରଙ୍କ ବିରୋଧରେ ନିଲମ୍ବନ ଓ ଲାଇସେନ୍ସ ବାତିଲ ଭଳି ପଦକ୍ଷେପ ନିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories