Diljit Dosanjh: ଇଟାଲୀ କନସର୍ଟରେ ବିଦେଶୀ ଫ୍ୟାନ୍ଙ୍କୁ ‘ଏକ ଓଁକାରର’ ମହତ୍ତ୍ୱ ବୁଝାଇଲେ ଦିଲଜିତ, ଜିତିଲେ ପ୍ରଶଂସକଙ୍କ ହୃଦୟ
ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ଓ ଅଭିନେତା ଦିଲଜିତ ଦୋସାଞ୍ଜ ନିଜ ସଙ୍ଗୀତ ପାଇଁ ଯେତିକି ଚର୍ଚ୍ଚିତ, ତାଙ୍କ ନମ୍ର ବ୍ୟବହାର ପାଇଁ ମଧ୍ୟ ସେତିକି ପ୍ରଶଂସା ସାଉଁଟୁଛନ୍ତି। ଇଟାଲୀର ମିଲାନ୍ରେ ଏକ କନସର୍ଟ ସମୟରେ ଜଣେ ବିଦେଶୀ ଫ୍ୟାନ୍ଙ୍କୁ ଦିଲଜିତ ଯେଉଁଭଳି ଭାବେ ବୁଝାଇଥିଲେ, ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଧଳା ଟି-ଶର୍ଟ ପିନ୍ଧିଥିବା ଏହି ଫ୍ୟାନ୍ଙ୍କ ଟି-ଶର୍ଟରେ ପବିତ୍ର ‘ଏକ ଓଁକାର’ ପ୍ରତୀକ ସହ ଦିଲଜିତଙ୍କ ନାମ ମଧ୍ୟ ପାଖାପାଖି ଲେଖାଯାଇଥିଲା।
ଟି-ଶର୍ଟଟି ଦେଖିବା ପରେ ଦିଲଜିତ ଶାନ୍ତ ଭାବେ ଏହା ଉପରେ ହାତ ରଖି ଫ୍ୟାନ୍ଙ୍କୁ ଏହାର ଧାର୍ମିକ ମହତ୍ତ୍ୱ ବୁଝାଇଥିଲେ। ସେ ଇଂରାଜୀରେ କହିଥିଲେ, “This is God… This is very special… and my name together, no, no.” ଅର୍ଥାତ୍, ଏକ ଓଁକାର ଭଗବାନଙ୍କ ପବିତ୍ର ପ୍ରତୀକ ହୋଇଥିବାରୁ ଏହାକୁ ନିଜ ନାମ ସହ ଯୋଡ଼ିବା ଉଚିତ ନୁହେଁ ବୋଲି ସେ ବୁଝାଇଥିଲେ। ତେବେ ଫ୍ୟାନ୍ଙ୍କ ଉଦ୍ଦେଶ୍ୟରେ କୌଣସି ଅସମ୍ମାନ ନଥିବା ବୁଝି ଦିଲଜିତ ତାଙ୍କୁ ଅପମାନିତ ମଧ୍ୟ କରିନଥିଲେ।
ଏହାପରେ ଦିଲଜିତ ଦର୍ଶକଙ୍କ ଆଡ଼କୁ ମୁହଁ କରି ଫ୍ୟାନ୍ଙ୍କ ପକ୍ଷ ନେଇଥିଲେ। ସେ ପଞ୍ଜାବୀରେ କହିଥିଲେ, “ମୁଁ ଆପଣଙ୍କ ଭାବନାକୁ ସମ୍ମାନ କରେ। ତାଙ୍କୁ ଜଣାନଥିଲା, ଦୟାକରି କ୍ଷମା କରନ୍ତୁ।” ପରେ ଫ୍ୟାନ୍ଙ୍କୁ ଉପହାର ଦେଇ ଆଲିଙ୍ଗନ ମଧ୍ୟ କରିଥିଲେ। ଦିଲଜିତଙ୍କ ଏହି ଶାନ୍ତ ଓ ସମ୍ମାନଜନକ ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶଂସା କରୁଛନ୍ତି। ପରେ ଫ୍ୟାନ୍ ମଧ୍ୟ ନିଜର ଭୁଲ ପାଇଁ କ୍ଷମା ମାଗି ଏହା ଅଜାଣତରେ ହୋଇଥିବା କହିଥିଲେ।

