PM Modi Bharat Ratna: ମୋଦୀଙ୍କୁ ମିଳିବ କି ଭାରତ ରତ୍ନ? ଜେ.ପି. ନଡ୍ଡା କହିଲେ ବଡ଼ କଥା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦିଆଯିବ କି ନାହିଁ, ଏହାକୁ ନେଇ ଚର୍ଚ୍ଚା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି। ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ନଡ୍ଡା କହିଛନ୍ତି ଯେ, ମୋଦୀଙ୍କୁ ଭାରତ ରତ୍ନ ଦେବା ପ୍ରସଙ୍ଗରେ ବିଜେପି ଭିତରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। ତେବେ ଏଭଳି ବିଷୟରେ ଦଳ ଉପଯୁକ୍ତ ସମୟରେ ନିଷ୍ପତ୍ତି ନେଇଥାଏ ବୋଲି ସେ କହିଛନ୍ତି।
ଏହି ପ୍ରଶ୍ନ ତାଙ୍କୁ ଦେଶବ୍ୟାପୀ ଆୟୋଜିତ ହେବାକୁ ଥିବା ‘ସେବା ସଂକଳ୍ପ ଅଭିଯାନ’ର ସମାପ୍ତି ପରେ ମୋଦୀଙ୍କୁ ଭାରତ ରତ୍ନ ଦେବା ପାଇଁ କୌଣସି ପ୍ରସ୍ତାବ ଆସିପାରେ କି ବୋଲି ପଚରାଯିବା ପରେ ଉଠିଥିଲା। ଏହାର ଉତ୍ତରରେ ନଡ୍ଡା କହିଥିଲେ ଯେ, ଭାରତ ରତ୍ନ ଭଳି ସର୍ବୋଚ୍ଚ ନାଗରିକ ସମ୍ମାନ ସମ୍ପର୍କିତ ମାମଲାରେ ଦଳ ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଏ। ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ଏକ ମାସ ଧରି ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।
ଭାରତ ରତ୍ନ ପ୍ରସଙ୍ଗରେ ନଡ୍ଡାଙ୍କ ଏହି ବୟାନ ପରେ ମୋଦୀଙ୍କୁ ଏହି ସମ୍ମାନ ମିଳିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ସ୍ପଷ୍ଟତା ଆସିଛି। ବର୍ତ୍ତମାନ ସୁଦ୍ଧା ମୋଦୀଙ୍କୁ ଭାରତ ରତ୍ନ ଦେବା ନେଇ କୌଣସି ଘୋଷଣା ହୋଇନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ, ଚୌଧୁରୀ ଚରଣ ସିଂହ, ଡ. ଏମ୍.ଏସ୍. ସ୍ୱାମୀନାଥନ ଓ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

