ଫୁଫଗାଁ ରେ ଜାଲ ପରିବାର ର ୭ ପିଢ଼ି ସଦସ୍ୟ ଏକାଠି ପାଳିଲେ ନୂଆଁଖାଇ।
କଳାହାଣ୍ଡି,୧୬/୦୯
ପଶ୍ଚିମ ଓଡିଶାର ପାରମ୍ପରିକ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଉତ୍ସଵ ମୁଖର ପଶ୍ଚିମ ଓଡିଶା। କଳାହାଣ୍ଡି ଜିଲ୍ଲାରେ ପଞ୍ଚମୀ ତିଥି ରେ ପ୍ରଥମ ପର୍ଯ୍ୟାୟରେ ଗଣପର୍ବ ନୂଆଁଖାଇ ପାଳନ ଅବସରରେ କୋକସରା ବ୍ଲକ ଫୁଫଗାଁ ଠାରେ ଜାଲ ପରିବାର ର ୭ ପିଢ଼ି ର ସଦସ୍ୟ ଏକତ୍ର ଭାଇଚାରା ର ଡୋରି ରେ ବାନ୍ଧିହୋଇ ନୂଆଁ ଖାଇଛନ୍ତି। ଜାଲ ପରିବାର ପଡୋଶୀ ଛତିଶଗଡ଼ ର ମୂଳ ବାସିନ୍ଦା ଥିଲେ, କିନ୍ତୁ ୭ ପିଢ଼ି ପୂର୍ବରୁ ସେମାନେ କଳାହାଣ୍ଡି ରେ ବସତି କରି କୋକସରା ବ୍ଲକ ର ଫୁଫଗାଁ ସମେତ ଆଖପାଖ ଅଞ୍ଚଳ ରେ ରହୁଛନ୍ତି। ତେବେ ଯିଏ ଯେଉଁଠି ଥିଲେ ମଧ୍ୟ ଭାଇଚାରା ର ଏହି ମହାନ ପର୍ବ ରେ ଏକାଠି ହୋଇ ନୂଆଁଖାଇ ପର୍ବ ରେ ସାମିଲ ହୋଇଥାନ୍ତି। ଫୁଫଗାଁ ସ୍ଥିତ ଶିକ୍ଷକ ବୈକୁଣ୍ଠ ଜାଲ ଙ୍କ ବାସଭବନ ରେ ଜାଲ ପରିବାର ପକ୍ଷରୁ ସାମୂହିକ ନୂଆଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପରିବାରର ପ୍ରାୟ ୧୪୭ ରୁ ଉର୍ଦ୍ଧ୍ବ ସଦସ୍ୟ ଏକାଠି ହୋଇ ନୂଆ ଖାଇଥିଲେ। ଏହି ଆୟୋଜନର ବିଶେଷତ୍ୱ ଥିଲା ପରିବାରର ୭ ପିଢ଼ିର ସଦସ୍ୟ ଏକାଠି ହୋଇ ନୂଆଖାଇ ପାଳନ କରିବା। ନୂଆଁଖାଇ ପରେ ପରିବାର ର ସାନମାନେ ବୟୋଜ୍ୟେଷ୍ଠ ଙ୍କୁ ନୂଆଖାଇ ଜୁହାର କରି ଆଶୀର୍ବାଦ ନେଇଥିଲେ।ପରିବାରର ବୟୋଜ୍ୟେଷ୍ଠ ଘନଶ୍ୟାମ ଜାଲ, ଗଙ୍ଗାଧର ଜାଲ,ଦେବରାଜ ଜାଲ,ଶୋଭାରାମ ଜାଲ, ଦୁର୍ୟୋଧନ ଜାଲ,ଉଦ୍ଧବ ଜାଲ,ବୈକୁଣ୍ଠ ଜାଲ,ସୁରେନ୍ଦ୍ର ଜାଲ, ଭୈରବ ଜାଲ,ହେମନ୍ତ ଜାଲ,ଅଶୋକ ଜାଲ,ନୀଳମାଧଵ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଜଳତାମୁଣ୍ଡା, ନୂଆଗୁଡା, ପର୍ଲା, ବାଟିଗୁଡା,ଭୁର୍ସିଗୁଡା ଜାଲ ପରିବାର ସଭେ ଗୋଟେ ଜାଗାରେ ଆସି ନୂଆଁଖାଇ ଗଣପର୍ବ ମାନୁଥିଲେ ବୋଳି ଜାଲ ପରିବାର ର ବରିଷ୍ଠ ସଦସ୍ୟ ବୈକୁଣ୍ଠ ଜାଲ ସୂଚନା ଦେଇଛନ୍ତି।

