Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CBFC Board: ଫିଲ୍ମ ସେନ୍ସର ବୋର୍ଡରେ ନୂଆ ଟିମ୍‌; ପ୍ରୀତି ଜିଣ୍ଟା-ପଙ୍କଜ ତ୍ରିପାଠୀଙ୍କ ସହ ନୀଳମାଧବ ପଣ୍ଡା ସାମିଲ,ଅଧ୍ୟକ୍ଷ ହେଲେ ଶଶିଶେଖର ବେମ୍ପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିବିଏଫ୍‌ସି (କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ)ର ନୂଆ ବୋର୍ଡ ଗଠନ କରିଛନ୍ତି। ୨୦୧୭ ପରେ ପ୍ରଥମ ଥର ପାଇଁ ବୋର୍ଡର ପୁନର୍ଗଠନ ହୋଇଥିବା ବେଳେ ଶଶିଶେଖର ବେମ୍ପତିଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ନୂଆ ବୋର୍ଡରେ ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ସମେତ ମୋଟ ୧୮ ଜଣ ସଦସ୍ୟ ରହିଛନ୍ତି। ଏହି ବୋର୍ଡର କାର୍ଯ୍ୟକାଳ ୩ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବ।

ନୂଆ ବୋର୍ଡରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଅଭିନେତା ପଙ୍କଜ ତ୍ରିପାଠୀ ଓ ସୁନୀଲ ସେଟ୍ଟୀଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଏହାଛଡ଼ା ପଲ୍ଲବୀ ଯୋଶୀ, ପ୍ରସେନଜିତ ଚାଟାର୍ଜୀ, ରୂପାଲି ଗାଙ୍ଗୁଲି, ପ୍ରିୟଦର୍ଶନ ଓ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ସମେତ ଅନେକ କଳାକାର ଓ ଚଳଚ୍ଚିତ୍ର କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିଙ୍କୁ ସ୍ଥାନ ମିଳିଛି। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ମନୋଜ ଯୋଶୀ, ଅଭିଷେକ ଜୈନ, ସୁପ୍ରିୟା ୟାର୍ଲାଗଡ୍ଡା, ଚଳଚ୍ଚିତ୍ର ସମାଲୋଚକ ବିନୋଦ ଅନୁପମ, କବି ଓ ଲେଖକ ଯତୀନ୍ଦ୍ର ମିଶ୍ର, ନିଶିଗନ୍ଧା ୱାଡ୍‌ ଏବଂ ଗାୟକ ତଥା ପୂର୍ବତନ ସାଂସଦ ହଂସରାଜ ହଂସ ରହିଛନ୍ତି। ଥିଏଟର ନିର୍ଦ୍ଦେଶକ ୱାମନ କେନ୍ଦ୍ରେ ଓ ଲେଖକ ରମେଶ ପାଟଙ୍ଗେ ମଧ୍ୟ ନୂଆ ବୋର୍ଡରେ ସ୍ଥାନ ପାଇଛନ୍ତି।

ସୂଚନା ଅନୁସାରେ, ୨୦୧୭ ଅଗଷ୍ଟରେ ଶେଷ ଥର ପାଇଁ ସିବିଏଫ୍‌ସିର ପୁନର୍ଗଠନ ହୋଇଥିଲା। ସେତେବେଳେ ନିର୍ଦ୍ଧାରିତ ୩ ବର୍ଷର କାର୍ଯ୍ୟକାଳ ୨୦୨୦ରେ ଶେଷ ହୋଇଥିଲେ ମଧ୍ୟ ନୂଆ ବୋର୍ଡ ଗଠନ ହୋଇନଥିଲା। ତେଣୁ ପୁରୁଣା ସଦସ୍ୟମାନେ ନୂଆ ନିଯୁକ୍ତି ହେବା ପର୍ଯ୍ୟନ୍ତ ପଦରେ ରହିଥିଲେ। ନିକଟରେ କିଛି ଚଳଚ୍ଚିତ୍ରର ଦୃଶ୍ୟ କାଟିବା ଓ ପ୍ରମାଣପତ୍ର ଦେବାକୁ ନେଇ ସିବିଏଫ୍‌ସି ଚର୍ଚ୍ଚାରେ ଥିଲା। ଏବେ ନୂଆ ବୋର୍ଡ ଗଠନ ପରେ ଚଳଚ୍ଚିତ୍ର ପ୍ରମାଣପତ୍ର ପ୍ରଦାନ ସମ୍ପର୍କିତ କାର୍ଯ୍ୟରେ ଏହାର ଭୂମିକା ଉପରେ ନଜର ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories