Birth Death Registration: ଅକ୍ଟୋବର ୧ରୁ ବଦଳିବ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ନିୟମ, ବିଳମ୍ବ ହେଲେ ବଢ଼ିବ ଯାଞ୍ଚ
ନୂଆଦିଲ୍ଲୀ: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମରେ ହେବ ବଡ ପରିବର୍ତ୍ତନ । ୨୦୨୬ ଅକ୍ଟୋବର ୧ରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ମୃତ୍ୟୁଞ୍ଜୟ କୁମାର ନାରାୟଣ ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ନୂଆ ବ୍ୟବସ୍ଥା ଅନୁସାରେ, ଜନ୍ମ କିମ୍ବା ମୃତ୍ୟୁର ଦୁଇ ବର୍ଷ ପରେ ପଞ୍ଜୀକରଣ କରିବାକୁ ହେଲେ ଏଣିକି ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଆବଶ୍ୟକ ହେବ। ଉଭୟ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିବା Registration of Births and Deaths (Amendment) Act, 2026 ଅନୁଯାୟୀ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
ନୂଆ ଆଇନ ଅନୁସାରେ, ଜନ୍ମ କିମ୍ବା ମୃତ୍ୟୁ ଘଟଣାର ଏକ ବର୍ଷ ପରେ କିନ୍ତୁ ଦୁଇ ବର୍ଷ ମଧ୍ୟରେ ପଞ୍ଜୀକରଣ କରିବାକୁ ହେଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ଅଧିକୃତ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଦରକାର ହେବ। ସମ୍ପୃକ୍ତ ଅଧିକାରୀ ଘଟଣାର ସତ୍ୟତା ଓ ତଥ୍ୟର ଯାଞ୍ଚ କରିବା ପରେ ନିର୍ଦ୍ଧାରିତ ଫି’ ଦେଇ ପଞ୍ଜୀକରଣ କରାଯାଇପାରିବ। ଦୁଇ ବର୍ଷରୁ ଅଧିକ ସମୟ ପରେ ଦାଖଲ ହେଉଥିବା ଆବେଦନରେ ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ବାଧ୍ୟତାମୂଳକ ହେବ।
୧୯୬୯ର Registration of Births and Deaths Act ଅନୁସାରେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ବାଧ୍ୟତାମୂଳକ। ଏହି ଆଇନ ଅଧୀନରେ ମିଳୁଥିବା ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣପତ୍ର ଆଇନଗତ ପରିଚୟ ଓ ସମ୍ପୃକ୍ତ ଘଟଣାର ପ୍ରମାଣ ଭାବେ ବ୍ୟବହାର ହୋଇଥାଏ। ସରକାରଙ୍କ ଅନୁସାରେ, ବିଳମ୍ବିତ ପଞ୍ଜୀକରଣ ନିୟମକୁ ଅଧିକ କଡ଼ା କରିବାର ଉଦ୍ଦେଶ୍ୟ ହେଉଛି ଜନ୍ମ ଓ ମୃତ୍ୟୁ ଘଟଣା ସମୟୋପଯୋଗୀ ଭାବେ ପଞ୍ଜୀକରଣ କରିବାକୁ ଉତ୍ସାହିତ କରିବା।

