Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bikram Panda Case: ଜେଲ୍‌ରୁ ଫୋନ୍‌ କରି ସାକ୍ଷୀଙ୍କୁ ଧମକ ଅଭିଯୋଗ, ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ମାମଲା

ବ୍ରହ୍ମପୁର: ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ଏକ ନୂଆ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଜେଲ୍‌ରେ ଥିବା ସମୟରେ ଜଣେ ସାକ୍ଷୀଙ୍କୁ ଫୋନ୍‌ ଯୋଗେ ଧମକ ଦେଇଥିବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନାରେ ଏହି ମାମଲା ହୋଇଛି। ବ୍ରହ୍ମପୁର ଏସ୍‌ପିଙ୍କ ସୂଚନା ଅନୁସାରେ, ଜେଲ୍‌ରେ ଥିବା ବେଳେ ଡାକ୍ତରଙ୍କ ଜରିଆରେ ବିକ୍ରମ ପଣ୍ଡା ସାକ୍ଷୀଙ୍କୁ ଫୋନ୍‌ କରି ଧମକାଇଥିବା ଅଭିଯୋଗ ରହିଛି। ଏହି ଘଟଣାରେ ମଦନ ଦଳାଇଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ପୁଲିସର ସୂଚନା ଅନୁସାରେ, ଅଗଷ୍ଟ ୨୮ ତାରିଖରେ ବିକ୍ରମ ପଣ୍ଡା ଓ ମଦନ ଦଳାଇ ଜେଲ୍‌ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ଡାକ୍ତର ହ୍ବାଟ୍ସଆପ୍‌ ମାଧ୍ୟମରେ ଜଣେ ସାକ୍ଷୀଙ୍କୁ ଫୋନ୍‌ କରିଥିବା ବେଳେ ବିକ୍ରମ ପଣ୍ଡା ଫୋନ୍‌ ନେଇ ଅନ୍ୟ ଏକ କୋଠରୀକୁ ଯାଇଥିବା ଅଭିଯୋଗ ହୋଇଛି। ସେଠାରୁ ସେ ସାକ୍ଷୀଙ୍କୁ ଧମକ ଦେଇଥିବା ଏବଂ ମଦନ ଦଳାଇ ମଧ୍ୟ ଧମକାଇଥିବା ଅଭିଯୋଗ ରହିଛି। ଜେଲ୍‌ର ସିସିଟିଭି ଫୁଟେଜ୍‌ ଓ ଅନ୍ୟ ତଥ୍ୟ ଯାଞ୍ଚ ପରେ ମାମଲା ରୁଜୁ କରାଯାଇଥିବା ଏସ୍‌ପି କହିଛନ୍ତି।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ନିକଟରେ ସର୍ତ୍ତମୂଳକ ଜାମିନରେ ଜେଲ୍‌ରୁ ମୁକୁଳିଥିଲେ। ଏବେ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ନୂଆ ମାମଲା ରୁଜୁ ହେବା ପରେ ଘଟଣାଟି ପୁଣି ଚର୍ଚ୍ଚାକୁ ଆସିଛି। ଏହାସହ ଘଟଣାରେ ଜେଲ୍‌ ଡାକ୍ତରଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ ହେଉଥିବା ବେଳେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ଚିଠି ଲେଖାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories