Dharwad Tehsildar Bribe: ୫୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ତହସିଲଦାର
କର୍ଣ୍ଣାଟକ: କର୍ଣ୍ଣାଟକର ଧାରୱାଡ଼ରେ ଜମି ରେକର୍ଡ ସଂଶୋଧନ ଓ ଜମି ବିଭାଜନ ପାଇଁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜଣେ ତହସିଲଦାରଙ୍କୁ ଲୋକାୟୁକ୍ତ ଅଧିକାରୀମାନେ ଧରିଛନ୍ତି। ଧାରୱାଡ଼ର ୟାରିକୋପ୍ପା ଅଞ୍ଚଳରେ ଏକ ଏକର ଜମିର ରେକର୍ଡ ସଂଶୋଧନ ଏବଂ ତାହାକୁ ଉପବିଭାଜନ କରିବା ପାଇଁ ତହସିଲଦାର ଏହି ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଜଣେ ଡେଭେଲପରଙ୍କ ପାଖରେ ମୋଟ ୩୩ ଏକର ଜମି ରହିଥିବା ବେଳେ ପୂର୍ବରୁ ଥିବା ଜମି ରେକର୍ଡ ବାତିଲ କରିବାକୁ ନିର୍ଦ୍ଦେଶ ପରେ ସେ ରେକର୍ଡ ସଂଶୋଧନ ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ଲାଞ୍ଚ ଦାବି ନେଇ ଅଭିଯୋଗ ମିଳିବା ପରେ ଲୋକାୟୁକ୍ତ ଅଧିକାରୀମାନେ ଜାଲ ବିଛାଇଥିଲେ। କେସିଡି ଗ୍ରାଉଣ୍ଡ ନିକଟରେ ଟଙ୍କା ହସ୍ତାନ୍ତର ବେଳେ ତହସିଲଦାରଙ୍କୁ ଧରାଯାଇଥିବା ଜଣାପଡ଼ିଛି।
ଘଟଣାକୁ ନେଇ ଲୋକାୟୁକ୍ତ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହାସହ ମାମଲାର ଅଧିକ ତଦନ୍ତ ଜାରି ରହିଛି। ତହସିଲଦାରଙ୍କ ସରକାରୀ ଓ ବ୍ୟକ୍ତିଗତ ପରିସରରେ ତଲାସି ଚଳାଇବା ସହ ଘଟଣା ସହ ଜଡ଼ିତ ଅନ୍ୟ ଦିଗଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

