ବିଏସଏନଏଲକୁ ନେଇ କେନ୍ଦ୍ର କ୍ୟାବିନେଟ୍‌ର ବଡ ଘୋଷଣା; ୮୯ ହଜାର କୋଟି ମିଳିବ ସହାୟତା


ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇଥିଲା ଆଲୋଚନା। ତେବେ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ବୁଧବାର କ୍ୟାବିନେଟ ବୈଠକରେ ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି ନିମନ୍ତେ ବଡ ନିଷ୍ପତ୍ତି ନିଆଯାଇଛି। ବିଏସଏନ୍‌ଏଲ୍‌ର ହେବ ନବୀକରଣ। ଏଥିପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜ ଉପରେ ଲାଗିଛି ମୋହର। ଏହି ଅର୍ଥ ବିଏସଏନ୍‌ଏଲ୍‌ ନବୀକରଣରେ ବ୍ୟବହାର କରାଯିବ ।

କେନ୍ଦ୍ର କ୍ୟାବିନେଟ ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଛି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମଏସପି ବୃଦ୍ଧି ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ମୁତାବକ ହରଡ ଓ ବୁଟ ଡାଲି ଉପରେ ସହାୟକ ମୂଲ୍ୟ କ୍ରମାନ୍ୱୟରେ ୪୦୦ଟଙ୍କା ଓ ୩୫୦ ଟଙ୍କା କୁଇଣ୍ଟାଲ ପ୍ରତି ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ପରେ ଏବେ ହରଡ ଡାଲି କୁଇଣ୍ଟାଲ ପ୍ରତି ୭ହଜାର ଟଙ୍କା ଓ ବୁଟ ଡାଲି କୁଇଣ୍ଟାଲ ପ୍ରତି ୬,୯୫୦ ଟଙ୍କା ଚାଷୀମାନଙ୍କୁ ମିଳିବ । ଅନ୍ୟପଟେ ବଜାରରେ ହରଡ ଡାଲି ମୂଲ୍ୟ ବୃଦ୍ଧି ଏବେ ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି।