Cyclone Alert: ବାତ୍ୟା ନେଇ ସ୍ପଷ୍ଟ ସୂଚନା ନାହିଁ, ତଥାପି ୩୬୫ ଦିନ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର:ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ଘରୋଇ ସଂସ୍ଥା ପକ୍ଷରୁ ନିଜସ୍ୱ ପୂର୍ବାନୁମାନ ଓ ଆକଳନ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ନେଇ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବାତ୍ୟା କିମ୍ବା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରକାରଙ୍କ ପ୍ରସ୍ତୁତି ବର୍ଷସାରା ଜାରି ରହିଛି। ଘରୋଇ ସଂସ୍ଥାଗୁଡ଼ିକ ନିଜ ଆକଳନ କରିପାରନ୍ତି, କିନ୍ତୁ ସରକାର ୩୬୫ ଦିନ ପ୍ରସ୍ତୁତ ରହୁଥିବା ସେ କହିଛନ୍ତି।
ବିପର୍ଯ୍ୟୟର ସଠିକ୍ ଆକଳନ ଏବଂ ଆଗୁଆ ସୂଚନା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ପାଇଁ ରାଜ୍ୟରେ ଡପଲର୍ ରାଡାର୍ ବ୍ୟବସ୍ଥା ବଢ଼ାଯାଉଛି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସମ୍ବଲପୁରରେ ଡପଲର୍ ରାଡାର୍ ସ୍ଥାପନ କରାଯାଇଛି। ଡିସେମ୍ବର ସୁଦ୍ଧା ଭୁବନେଶ୍ୱର, ବାଲେଶ୍ୱର ଓ ଗୋପାଳପୁରରେ ମଧ୍ୟ ଅତ୍ୟାଧୁନିକ ଡପଲର୍ ରାଡାର୍ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ଏହା ଫଳରେ ବାତ୍ୟା ଭଳି ବିପର୍ଯ୍ୟୟର ଗତିପଥ ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ସଠିକ୍ ତଥ୍ୟ ମିଳିପାରିବ।
ଏହାସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟରୁ ମଧ୍ୟ ପାଣିପାଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଆଗୁଆ ରିପୋର୍ଟ ପ୍ରସ୍ତୁତ କରାଯିବ। ତେବେ ବର୍ତ୍ତମାନ ସୁଦ୍ଧା ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ନିଶ୍ଚିତ ଆକଳନ ହୋଇନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ ବୋଲି ମଧ୍ୟ ସେ କହିଛନ୍ତି।

