Disha Salian Case: ୫୦୦ କୋଟିର ମାନହାନି ନୋଟିସ୍, ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖଙ୍କୁ ଜବାବ ତଲବ
ନୂଆଦିଲ୍ଲୀ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ନୂଆ ମୋଡ଼ ଆସିଛି। ଦିଶାଙ୍କ ବାପା ସତୀଶ ସାଲିଆନଙ୍କ ପକ୍ଷରୁ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଓ ଏନସିପି (ଏସ୍ପି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଆଇନଗତ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି।
ନୋଟିସ୍ରେ ଅଭିଯୋଗ କରାଯାଇଛି ଯେ, ଦିଶାଙ୍କ ମୃତ୍ୟୁର ତଦନ୍ତ ଓ ନ୍ୟାୟ ପାଇଁ ସତୀଶ ସାଲିଆନଙ୍କ ଉଦ୍ୟମକୁ ଉଭୟ ନେତା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଚିତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ତାଙ୍କ ପ୍ରତିଷ୍ଠା ଓ ମାନସିକ ଯନ୍ତ୍ରଣାର କ୍ଷତି ହୋଇଥିବା ଦାବି କରାଯାଇଛି।
ଦିଶା ସାଲିଆନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଥିଲେ। ୨୦୨୦ ମସିହାରେ ତାଙ୍କ ମୃତ୍ୟୁ ଘଟିଥିଲା। ନିକଟରେ ବୋମ୍ବେ ହାଇକୋର୍ଟ ଏହି ମୃତ୍ୟୁ ମାମଲାରେ ସିବିଆଇକୁ ଏଫ୍ଆଇଆର୍ ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଅଭିଯୁକ୍ତ ଭାବେ ଧରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

