Manipur Relief Camp: ୨୫ ସନ୍ଦେହଜନକ ମୃତ୍ୟୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ମୁଖ୍ୟ ସଚିବଙ୍କୁ ରିପୋର୍ଟ ନିର୍ଦ୍ଦେଶ
ମଣିପୁର: ମଣିପୁରର ରିଲିଫ୍ କ୍ୟାମ୍ପରେ ବିସ୍ଥାପିତଙ୍କ ସୁରକ୍ଷା ଓ ସନ୍ଦେହଜନକ ମୃତ୍ୟୁକୁ ନେଇ ଗୁରୁବାର ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨୦୨୩ର ଜାତିଗତ ହିଂସା ସହ ଜଡ଼ିତ ଯୌନ ହିଂସା ମାମଲାର ଶୁଣାଣି ବେଳେ ଅଦାଲତ ରିଲିଫ୍ କ୍ୟାମ୍ପରେ ଘଟିଥିବା ୨୫ଟି ସନ୍ଦେହଜନକ ମୃତ୍ୟୁର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମଣିପୁରର ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସହ ମୃତ୍ୟୁର କାରଣ ସମ୍ପର୍କିତ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ମଧ୍ୟ କୁହାଯାଇଛି। ଶୁଣାଣି ବେଳେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ରାଜ୍ୟ ସରକାରଙ୍କୁ କହିଥିଲେ ଯେ, ଅଦାଲତକୁ କଠୋର ଆଦେଶ ଦେବାକୁ ବାଧ୍ୟ କରନ୍ତୁ ନାହିଁ ଏବଂ ଏପର୍ଯ୍ୟନ୍ତ କ’ଣ ପଦକ୍ଷେପ ନିଆଯାଇଛି ତାହା ଜଣାନ୍ତୁ।
ଅଦାଲତରେ ଉପସ୍ଥାପିତ ରିପୋର୍ଟ ଅନୁସାରେ, ମଣିପୁରର ୮ଟି ଜିଲ୍ଲାର ରିଲିଫ୍ କ୍ୟାମ୍ପରେ ମୋଟ ୬୪୦ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଏଥିରୁ କେବଳ ୨୦ଟି ମାମଲାରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବାରୁ ସୁପ୍ରିମକୋର୍ଟ ଏନେଇ ପ୍ରଶ୍ନ ଉଠାଇଛନ୍ତି। ଅନେକ ମାମଲାରେ ୨୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇଥିବା ନେଇ ମଧ୍ୟ ଅଦାଲତ ପ୍ରଶ୍ନ କରିଛନ୍ତି। ମଣିପୁର ଆଇନ ସେବା ପ୍ରାଧିକରଣକୁ ସନ୍ଦେହଜନକ ସମସ୍ତ ମୃତ୍ୟୁ ଘଟଣାରେ ଏତଲା ରୁଜୁ କରିବା ଏବଂ ମୃତ୍ୟୁର କାରଣ ନେଇ ଉପଯୁକ୍ତ ତଦନ୍ତ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ, ୮ଟି ଜିଲ୍ଲାରେ ୪୨ଟି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ୩,୦୨୦ଟି ମାମଲା ତଦନ୍ତ ଅଧୀନରେ ଥିବାବେଳେ ୩୦୨ଟି ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇଛି, ୧,୫୮୩ଟିରେ ତଦନ୍ତ ବନ୍ଦ ରିପୋର୍ଟ ଦିଆଯାଇଛି ଏବଂ ୧,୧୩୫ଟି ମାମଲାର ତଦନ୍ତ ଚାଲିଛି। ୩୩ଟି ମାମଲାରେ ବିଚାର ଆରମ୍ଭ ହୋଇଛି। ଗୁଆହାଟୀର ସ୍ୱତନ୍ତ୍ର ଅଦାଲତ ସପ୍ତାହରେ କେବଳ ଦୁଇ ଦିନ ମାମଲା ଶୁଣୁଥିବା ନେଇ ପୀଡ଼ିତଙ୍କ ପକ୍ଷର ଓକିଲ କହିଥିଲେ। ଏହାପରେ ସିବିଆଇ ମାମଲାର ବିଚାର ପାଇଁ ଦୁଇଟି ସ୍ୱତନ୍ତ୍ର ଅଦାଲତ ଗଠନର ସମ୍ଭାବନା ଉପରେ ତୁରନ୍ତ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି।

