Jagmohan Meena: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗ୍ରହଣ କରିଛି। ଏନେଇ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବାବେଳେ, ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ମୀନାଙ୍କ ଇସ୍ତଫା ସେପ୍ଟେମ୍ବର ୧୧, ୨୦୨୬ରୁ ପ୍ରଭାବୀ ହୋଇଛି। ଜୁଲାଇରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ପରେ ଓଡ଼ିଶା ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରି ଆବଶ୍ୟକ ଅନୁମତି ସହ ମାମଲାଟିକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଥିଲେ। ଏହାପରେ କେନ୍ଦ୍ରର ଅନୁମୋଦନ ସହ ତାଙ୍କ ପ୍ରାୟ ୧୩ ବର୍ଷର ଆଇପିଏସ୍ ସେବାର ଔପଚାରିକ ସମାପ୍ତି ହୋଇଛି।
ଜଗମୋହନ ମୀନା ୨୦୨୫ ଫେବ୍ରୁଆରୀ ୨୮ରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଏହା ପୂର୍ବରୁ ସେ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର ଏସ୍ପି ଏବଂ କଟକର ଡିସିପି ଭାବେ କାର୍ଯ୍ୟ କରିଥିଲେ। ରାଜସ୍ଥାନର ବାସିନ୍ଦା ମୀନା ଆଇଆଇଟି କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବି.ଟେକ୍ ଓ ଏମ୍.ଟେକ୍ ଡିଗ୍ରୀ ହାସଲ କରିଥିଲେ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ୮୪୯ତମ ସ୍ଥାନ ହାସଲ କରିଥିଲେ।
ଇସ୍ତଫା ଦେବା ସମୟରେ ମୀନା ସ୍ପଷ୍ଟ କରିଥିଲେ ଯେ, ତାଙ୍କ ନିଷ୍ପତ୍ତି ପଛରେ କୌଣସି ବାହ୍ୟ କିମ୍ବା ରାଜନୈତିକ ଚାପ ନାହିଁ। ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିବା ସହ ନିଜ ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଥିଲେ। ଇସ୍ତଫା ଗ୍ରହଣ ହେବା ପରେ ଭୁବନେଶ୍ୱର ଡିସିପି ପଦ ପାଇଁ ରାଜ୍ୟ ସରକାର ନୂଆ ଅଧିକାରୀ ନିଯୁକ୍ତ କରିବାର ରାସ୍ତା ସ୍ପଷ୍ଟ ହୋଇଛି।

