DCP Meena: ଶେଷ ହେଲା ୧୩ ବର୍ଷର IPS କ୍ୟାରିୟର, ମୀନାଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ, ସେପ୍ଟେମ୍ବର ୧୧ରୁ ଇସ୍ତଫା କାର୍ଯ୍ୟକାରୀ ହୋଇଛି। ଏଥିସହ ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ମୀନାଙ୍କ ପ୍ରାୟ ୧୩ ବର୍ଷର ପୁଲିସ ସେବାର ଅନ୍ତ ଘଟିଛି। ମୀନା ୨୦୨୫ ଫେବ୍ରୁଆରି ୨୮ରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଏହା ପୂର୍ବରୁ ସେ କଟକ ଡିସିପି ଏବଂ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର ଏସ୍ପି ଭାବେ କାର୍ଯ୍ୟ କରିଥିଲେ। ମାଲକାନଗିରିରେ ନକ୍ସଲ ବିରୋଧୀ ଅଭିଯାନ ଓ ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ମଧ୍ୟ ସେ ନିୟୋଜିତ ଥିଲେ।
ଗତ ଜୁଲାଇରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଅଗଷ୍ଟ ୨୭ରେ ରାଜ୍ୟ ସରକାର ତାଙ୍କ ଇସ୍ତଫା ଗ୍ରହଣ କରି ଅନୁମୋଦନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଥିଲେ। ରାଜସ୍ଥାନର ସିକର ଜିଲ୍ଲାର ମୂଳ ବାସିନ୍ଦା ମୀନା ଆଇଆଇଟି କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବିଟେକ୍ ଓ ଏମ୍ଟେକ୍ କରିଥିଲେ। ପରେ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳ ହୋଇ ଆଇପିଏସ୍ରେ ଯୋଗ ଦେଇଥିଲେ।
୩୭ ବର୍ଷ ବୟସରେ ଚାକିରି ଛାଡ଼ିବା ନେଇ ବିଭିନ୍ନ ଚର୍ଚ୍ଚା ହୋଇଥିଲେ ମଧ୍ୟ, କାମର ଚାପ କିମ୍ବା ରାଜନୈତିକ ହସ୍ତକ୍ଷେପ ଏହାର କାରଣ ନୁହେଁ ବୋଲି ମୀନା କହିଥିଲେ। ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା ଜଣାଇଥିଲେ।

