F-16 Crash: ମିଚିଗାନରେ ପ୍ରଶିକ୍ଷଣ ଉଡ଼ାଣ ବେଳେ ଖସିଲା ଫାଇଟର ଜେଟ୍, ପାଇଲଟ୍ ଆହତ
ନୂଆଦିଲ୍ଲୀ: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ପାଇଲଟ୍ ବିମାନରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ତେବେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା ଅଧିକାରୀମାନେ କହିଛନ୍ତି। ଅନ୍ୟ କାହାରି ଆହତ ହେବା ନେଇ ଏପର୍ଯ୍ୟନ୍ତ ଖବର ମିଳିନାହିଁ।
ଟେକ୍ସାସ ମିଲିଟାରୀ ଡିପାର୍ଟମେଣ୍ଟ ଅନୁସାରେ, ଟେକ୍ସାସ ନ୍ୟାସନାଲ ଗାର୍ଡର ୧୪୯ତମ ଫାଇଟର ୱିଙ୍ଗ୍ ଦ୍ୱାରା ପରିଚାଳିତ F-16 ଫାଇଟିଂ ଫାଲକନ୍ ଆଲ୍ପେନାସ୍ଥିତ ଏୟାର ନ୍ୟାସନାଲ ଗାର୍ଡ କମ୍ବାଟ୍ ରେଡିନେସ୍ ଟ୍ରେନିଂ ସେଣ୍ଟରରୁ ପ୍ରଶିକ୍ଷଣ ମିଶନ୍ରେ ଉଡ଼ାଣ ଭରିଥିଲା। କିଛି ସମୟ ପରେ ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାର କାରଣ ସମ୍ପର୍କରେ ସାମରିକ ଅଧିକାରୀମାନେ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳ ନିକଟର ପ୍ରାୟ ଏକ ମାଇଲ୍ ପରିଧି ମଧ୍ୟରେ ରହୁଥିବା ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ଅଧିକାରୀମାନେ କହିଛନ୍ତି। ବିମାନରୁ କୌଣସି ବିପଜ୍ଜନକ ପଦାର୍ଥ ଲିକ୍ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ଘର ଭିତରେ ରହିବା ସହ ଝରକା ଓ କବାଟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଘଟଣାସ୍ଥଳ ନିକଟର ରାସ୍ତାଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି।
ଏପଟେ ଘଟଣା ପୂର୍ବର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଅଡିଓରୁ F-16ଟି ପକ୍ଷୀ ସହ ଧକ୍କା ହୋଇଥିବାର ସଙ୍କେତ ମିଳୁଥିବା ରିପୋର୍ଟ ହୋଇଛି। ତେବେ ପକ୍ଷୀ ଧକ୍କା ହିଁ ଦୁର୍ଘଟଣାର କାରଣ ବୋଲି ସାମରିକ ଅଧିକାରୀମାନେ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି। ମିଚିଗାନ ଷ୍ଟେଟ୍ ପୁଲିସ, ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟ ଏବଂ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଜାରି ରଖିଛନ୍ତି।

