Amritsar Zomato Delivery Worker Murder: ପୁଲିସ ଚୌକି ନିକଟରେ ଜୋମାଟୋ କର୍ମଚାରୀଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ପଞ୍ଜାବ: ପଞ୍ଜାବର ଅମୃତସର କୋଟ ଖାଲସା ଅଞ୍ଚଳରେ ଜଣେ ଜୋମାଟୋ ଡେଲିଭରି କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି। ଗୁରୁବାର ରାତିରେ ୨୫ ବର୍ଷୀୟ ସାହିଲ ଗିଲ୍ଙ୍କ ଉପରକୁ ଆକ୍ରମଣ ହୋଇଥିଲା। ପୁଲିସ ଚୌକିଠାରୁ ପ୍ରାୟ ୫୦ ପାଦ ଦୂରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆକ୍ଟିଭାରେ ଆସିଥିବା ଦୁଇଜଣ ଯୁବକ ସାହିଲଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ଗୁଳି ତାଙ୍କ ଛାତି ନିକଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ସାହିଲଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଆକ୍ଟିଭାରେ ଆସି ଗୁଳି ଚଳାଇଥିବା ଦୁଇଜଣ ଯୁବକଙ୍କ ପରିଚୟ ଜାଣିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗୁଳିକାଣ୍ଡ ପଛରେ ଥିବା କାରଣ ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଛି।

