BCCI Chief Selector: ଅକ୍ଟୋବର ୪ରେ ଶେଷ ହେବ ଅଗରକରଙ୍କ ଚୁକ୍ତି, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ନେଇ ଜୋର ଧରିଲା ଚର୍ଚ୍ଚା
ନୁଆଦିଲ୍ଲୀ: ଭାରତୀୟ କ୍ରିକେଟ୍ରେ ଏବେ ଚର୍ଚ୍ଚାରେ BCCI ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଭବିଷ୍ୟତ। ଅଗରକରଙ୍କ ବର୍ତ୍ତମାନ ଚୁକ୍ତି ଅକ୍ଟୋବର ୪ରେ ଶେଷ ହେବାକୁ ଥିବାବେଳେ, ତାଙ୍କୁ ଆଉ କାର୍ଯ୍ୟକାଳ ବୃଦ୍ଧି ମିଳିବ କି ନାହିଁ, ତାହା ନେଇ ଅନିଶ୍ଚିତତା ରହିଛି। ଅଗରକର ୨୦୨୩ ଜୁଲାଇରେ ଚୟନ କମିଟିର ଅଧ୍ୟକ୍ଷ ହୋଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳରେ ଭାରତ ୨୦୨୪ ଓ ୨୦୨୬ ଟି-୨୦ ବିଶ୍ୱକପ୍ ସହ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଛି।
ଅଗରକରଙ୍କ ଚୁକ୍ତି ବୃଦ୍ଧି ନେଇ BCCI ପକ୍ଷରୁ ଏପର୍ଯ୍ୟନ୍ତ ଅନ୍ତିମ ଘୋଷଣା ହୋଇନାହିଁ। ସେପଟେ ନୂଆ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ପୂର୍ବତନ ଭାରତୀୟ ୱିକେଟକିପର ପାର୍ଥିବ ପଟେଲଙ୍କ ନାଁ ଚର୍ଚ୍ଚାରେ ଥିବା ରିପୋର୍ଟ ଆସିଛି। ତେବେ ଅଗରକରଙ୍କ ସ୍ଥାନରେ କିଏ ଆସିବେ, ସେନେଇ BCCI ପକ୍ଷରୁ ଅଧିକାରିକ ଭାବେ କୌଣସି ନାଁ ଘୋଷଣା କରାଯାଇନାହିଁ।
ଅନ୍ୟପଟେ, ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍କୁ ନଜରରେ ରଖି ଭାରତୀୟ ଦଳର ରଣନୀତି ଓ ଦଳ ଗଠନ ନେଇ BCCI ପୂର୍ବରୁ ଆଲୋଚନା କରୁଛି। ସେପ୍ଟେମ୍ବର ୩ର BCCI ସମୀକ୍ଷା ବୈଠକ ସମ୍ପର୍କରେ ସଚିବ ଦେବଜିତ ସାଇକିଆ କହିଥିଲେ ଯେ, ୨୦୨୭ ବିଶ୍ୱକପ୍ ପାଇଁ ଆଗାମୀ ପର୍ଯ୍ୟାୟର ପ୍ରସ୍ତୁତି ଉପରେ ଗୁରୁତ୍ୱ ରହିଛି ଏବଂ ସେହି ବୈଠକରେ ଅଗରକରଙ୍କ ଭବିଷ୍ୟତ ନେଇ କୌଣସି ଆଲୋଚନା ହୋଇନଥିଲା।

