Trump Jr. Wedding: ପୁଅର ବିବାହ ଉତ୍ସବର ଖର୍ଚ୍ଚ ରୁଷୀୟ ବ୍ୟବସାୟୀ ଦେଇଥିବା ନେଇ ଟ୍ରମ୍ପଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ବିବାହ ଉତ୍ସବର କିଛି ଖର୍ଚ୍ଚ ଜଣେ ରୁଷୀୟ ବ୍ୟବସାୟୀ ବହନ କରିଥିବା ନେଇ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାରେ, ରୁଷିଆର ବ୍ୟବସାୟୀ ଉମର କ୍ରେମଲେଭ୍ ଟ୍ରମ୍ପ ଜୁନିୟର ଓ ବେଟିନା ଆଣ୍ଡରସନଙ୍କ ବାହାମାସ୍ ବିବାହ ଉତ୍ସବ ପାଇଁ ଏକ ବ୍ୟକ୍ତିଗତ ଦ୍ୱୀପ ଭଡ଼ା ଏବଂ ଆତସବାଜି ପ୍ରଦର୍ଶନର ଖର୍ଚ୍ଚ ଦେଇଥିଲେ। ମେ’ ମାସରେ ଏହି ବିବାହ ଉତ୍ସବ ହୋଇଥିଲା।
ଏହି ଘଟଣା ନେଇ ଶୁକ୍ରବାର ଟ୍ରମ୍ପଙ୍କୁ ପଚରାଯିବାରୁ ସେ କହିଥିଲେ ଯେ କାହାରୋ ପାର୍ଟିର ଖର୍ଚ୍ଚରେ ସହାୟତା କରିବା ଅନୁମତିପ୍ରାପ୍ତ। ଏଥିସହ ଟ୍ରମ୍ପ କହିଛନ୍ତି ଯେ, ତାଙ୍କୁ ଯାହା କୁହାଯାଇଛି, ସେହି ଅନୁସାରେ ତାଙ୍କ ପୁଅ ଏହି ଟଙ୍କା ଫେରାଇ ଦେଇଛନ୍ତି। ତେବେ ଟ୍ରମ୍ପ ଏନେଇ ଅଧିକ ବିବରଣୀ ଦେଇନାହାନ୍ତି।
ଏହି ଘଟଣା ସମ୍ପର୍କରେ ପ୍ରଥମେ ProPublica ରିପୋର୍ଟ କରିଥିଲା। ରିପୋର୍ଟରେ ଉମର କ୍ରେମଲେଭ୍ଙ୍କର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଉଲ୍ଲେଖ କରାଯାଇଛି। ବିବାହ ଉତ୍ସବରେ ଜଣେ ରୁଷୀୟ ବ୍ୟବସାୟୀଙ୍କ ଆର୍ଥିକ ସହାୟତା ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଆମେରିକାରେ ଚର୍ଚ୍ଚା ଜୋର ଧରିଛି।

