ଓଡ଼ିଶା ଗସ୍ତରେ ଛତିଶଗଡ଼ CM ବିଷ୍ଣୁ ଦେଓ ସାଏ, ମହାନଦୀ ପ୍ରସଙ୍ଗରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯାଇ ଉଭୟ ରାଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଆଲୋଚନାରେ ଦୀର୍ଘଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗ ଗୁରୁତ୍ୱ ପାଇପାରେ। ଜୁଲାଇ ୩୦ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀ ଜଳବଣ୍ଟନ ଓ ପରିଚାଳନା ନେଇ ଆଲୋଚନା ହୋଇଥିଲା।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବୈଠକ ପରେ ବିଷ୍ଣୁ ଦେଓ ସାଏ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ରାତ୍ରିଯାପନ କରିବେ ବୋଲି ସୂଚନା ରହିଛି।
ପରଦିନ ଭୁବନେଶ୍ୱର ଫେରିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ରାୟପୁର ଫେରିଯିବେ। ମହାନଦୀ ଜଳ ବିବାଦର ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଜାରି ରହିଥିବାରୁ ଏହି ଗସ୍ତକୁ ନେଇ ମହାନଦୀ ପ୍ରସଙ୍ଗରେ ପରବର୍ତ୍ତୀ ଆଲୋଚନା ଉପରେ ନଜର ରହିଛି।

