Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Climate Change: ଦିନ ଅପେକ୍ଷା ରାତିରେ ବଢୁଛି ଭୂପୃଷ୍ଠ ତାପମାତ୍ରା, ୨୪ ବର୍ଷରେ ୧.୬୮°C ବୃଦ୍ଧି

ଓଡ଼ିଶାର ଜଳବାୟୁରେ ଦିନକୁ ଦିନ ବଡ଼ ପରିବର୍ତ୍ତନ ଘଟୁଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଭୂତତ୍ତ୍ୱ ବିଭାଗ ପକ୍ଷରୁ ୨୦୦୧ରୁ ୨୦୨୪ ପର୍ଯ୍ୟନ୍ତ ୨୪ ବର୍ଷର ଉପଗ୍ରହ ତଥ୍ୟକୁ ନେଇ କରାଯାଇଥିବା ଗବେଷଣାରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଗବେଷଣା ଅନୁଯାୟୀ, ଦିନ ସମୟର ଭୂପୃଷ୍ଠ ତାପମାତ୍ରା କ୍ରମେ ହ୍ରାସ ପାଉଥିବା ବେଳେ ରାତି ସମୟର ଭୂପୃଷ୍ଠ ତାପମାତ୍ରା ବଢ଼ୁଛି। ଏହାର ପରିବେଶ ଓ ମଣିଷ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ପ୍ରଫେସର ସନ୍ଦୀପ ନାରାୟଣ କୁଣ୍ଡୁ ଓ ଡ. ନୀରସିନ୍ଧୁ ଦେଶିନାୟକଙ୍କ ତତ୍ତ୍ୱାବଧାନରେ ପିଏଚ୍‌ଡି ଗବେଷକ ଟଙ୍କଧର ବେହେରା ଏହି ଅଧ୍ୟୟନ କରିଛନ୍ତି। ତଥ୍ୟ ଅନୁଯାୟୀ, ୨୦୦୧ରେ ଓଡ଼ିଶାରେ ରାତିର ହାରାହାରି ଭୂପୃଷ୍ଠ ତାପମାତ୍ରା ୨୦.୫୭°C ଥିବାବେଳେ ୨୦୨୪ରେ ଏହା ୧.୬୮°C ବଢ଼ି ୨୨.୨୫°Cରେ ପହଞ୍ଚିଛି। ଦିନ ସମୟରେ ବଲାଙ୍ଗିରର ହାରାହାରି ଭୂପୃଷ୍ଠ ତାପମାତ୍ରା ୩୩.୦୭°C ସହ ସର୍ବାଧିକ ଥିବାବେଳେ ରାତିରେ ପୁରୀରେ ୨୩.୩୨°C ସହ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।

ଗବେଷଣାରେ ଆହୁରି ଦେଖାଯାଇଛି ଯେ, ଦିନବେଳେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଭୂପୃଷ୍ଠ ତାପମାତ୍ରା ଅଧିକ ରହୁଥିବା ବେଳେ ରାତିରେ ଉପକୂଳ ଜିଲ୍ଲାଗୁଡ଼ିକ ଅଧିକ ଉତ୍ତପ୍ତ ରହୁଛି। ମାଟି, ରାସ୍ତା, କୋଠାବାଡ଼ି ଓ ଶିଳ୍ପାଞ୍ଚଳରେ ଦିନର ତାପ ସଂଚୟ ଏବଂ ରାତିରେ ତାହାର ପ୍ରଭାବ ଜାରି ରହିବା ଜଳବାୟୁ ପରିବର୍ତ୍ତନର ଚିତ୍ରକୁ ଆହୁରି ଗମ୍ଭୀର କରୁଥିବା ଏହି ଗବେଷଣାରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ