Aleema Khan Detained: ଇମ୍ରାନ ଖାନଙ୍କ ଭଉଣୀ ଆଲିମା ଖାନ ଅଟକ, ୩୦ ଦିନ ପାଇଁ ହେପାଜତରେ ନେଲା ପାକିସ୍ତାନ ପୁଲିସ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଲ୍ରେ ଥିବା ଇମ୍ରାନ ଖାନଙ୍କ ଭଉଣୀ ଆଲିମା ଖାନଙ୍କୁ ପୁଲିସ ଅଟକ ରଖିଛି। ରବିବାର ଲାହୋରରୁ ତାଙ୍କୁ ଅଟକ କରାଯିବା ପରେ କୋଟ୍ ଲଖପତ ଜେଲ୍କୁ ପଠାଯାଇଥିବା ସୂଚନା ମିଳିଛି। ଇମ୍ରାନ ଖାନଙ୍କୁ ଜେଲ୍ରୁ ମୁକ୍ତ କରିବା ଦାବିରେ ଆଲିମା ଲଗାତାର ସ୍ୱର ଉଠାଇ ଆସୁଥିଲେ।
ଆଲିମା ଖାନଙ୍କୁ Punjab Maintenance of Public Order Ordinance, 1960 ଅଧୀନରେ ଅଟକ ରଖାଯାଇଛି। ଏହି ଆଇନ ଅନୁସାରେ ସାର୍ବଜନୀନ ଶାନ୍ତି ପାଇଁ ବିପଦ ସୃଷ୍ଟି କରିପାରନ୍ତି ବୋଲି ଅଧିକାରୀମାନେ ମନେ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇପାରେ। ଲାହୋରର ଡେପୁଟି କମିଶନର ମହମ୍ମଦ ଅଲି ଇଜାଜଙ୍କ ଆଦେଶ ଅନୁସାରେ ଆଲିମାଙ୍କୁ ୩୦ ଦିନ ପାଇଁ ହେପାଜତରେ ରଖାଯାଇଛି।
ଏହି ଘଟଣା ଇମ୍ରାନ ଖାନଙ୍କ ଦଳ Pakistan Tehreek-e-Insaf (PTI) ପକ୍ଷରୁ ଘୋଷିତ ପ୍ରତିବାଦ ପୂର୍ବରୁ ଘଟିଛି। ସେପ୍ଟେମ୍ବର ୨୭ରେ ଦଳ ପକ୍ଷରୁ ଏକ ପ୍ରତିବାଦ କରାଯିବାର ଯୋଜନା ରହିଛି। ଇମ୍ରାନ ଖାନଙ୍କୁ ଜେଲ୍ରୁ ମୁକ୍ତ କରିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଏହି ପ୍ରତିବାଦର ଉଦ୍ଦେଶ୍ୟ ବୋଲି ସୂଚନା ରହିଛି। ଇମ୍ରାନ ଖାନ ୨୦୨୩ରୁ ଜେଲ୍ରେ ଅଛନ୍ତି।

