MNS Controversy: ମୁଣ୍ଡରେ ଚପଲ ରଖି ‘ରାଜ ଠାକରେ’ଙ୍କ ଫଟୋ ଆଗରେ କ୍ଷମା ମାଗିଲେ ଇନ୍ଫ୍ଲୁଏନ୍ସର, MNS କର୍ମୀଙ୍କ ବିରୋଧରେ ଉଠିଲା ପ୍ରଶ୍ନ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ସୋସିଆଲ ମିଡିଆ ରିଲ୍କୁ ନେଇ ଇନ୍ଫ୍ଲୁଏନ୍ସର ମହେଶ ମୋଟେଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ରିଲ୍ରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଥିବା ଦଳୀୟ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହାପରେ MNS କର୍ମୀମାନେ ମହେଶଙ୍କୁ ଧରି ଦଳୀୟ କାର୍ଯ୍ୟାଳୟକୁ ନେଇଥିବା ଏବଂ ସେଠାରେ ରାଜ ଠାକରେଙ୍କ ଫଟୋ ଆଗରେ କ୍ଷମା ମାଗିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।
ଭାଇରାଲ ହୋଇଥିବା ଏକ ଭିଡିଓରେ ମହେଶ ହାତ ଯୋଡ଼ି ରାଜ ଠାକରେ ଓ MNS କର୍ମୀଙ୍କୁ କ୍ଷମା ମାଗୁଥିବା ଦେଖାଯାଉଛି। ତାଙ୍କ ମୁହଁରେ କଳା କାଳି ଲଗାଇବା ଏବଂ ମୁଣ୍ଡରେ ଚପଲ ରଖି ବସ୍ଠକ କରାଇବା ଭଳି ଅପମାନଜନକ ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ରହିଛି। MNSର ହାଦପସର ବିଧାନସଭା ଅଞ୍ଚଳର ଉପବିଭାଗୀୟ ଅଧ୍ୟକ୍ଷ ଶୁଭମ ଜଗଦାଲେଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୧୫ ଦିନ ପୂର୍ବରୁ ମହେଶ ରାଜ ଠାକରେଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରି ଏକ ଭିଡିଓ ପୋଷ୍ଟ କରିଥିଲେ।
ଶୁଭମ ଜଗଦାଲେ କହିଛନ୍ତି ଯେ, ମହେଶ ଗତ ୧୫ରୁ ୨୦ ଦିନ ଧରି କେରଳରେ ଥିଲେ। ସେ ପୁଣେର କାତ୍ରଜ ଅଞ୍ଚଳକୁ ଫେରିଥିବା ଖବର ପାଇ MNS କର୍ମୀମାନେ ତାଙ୍କୁ ଏକ ପାର୍କରୁ ଧରି ଦଳୀୟ ଜନସମ୍ପର୍କ କାର୍ଯ୍ୟାଳୟକୁ ନେଇଥିଲେ ବୋଲି ସେ ଦାବି କରିଛନ୍ତି। ଏହି ଘଟଣାକୁ ଜଗଦାଲେ ‘MNS ଷ୍ଟାଇଲ୍’ ବୋଲି କହିବା ସହ ରାଜ ଠାକରେଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ତେବେ ଘଟଣାକୁ ନେଇ ସାମାଜିକ ସ୍ତରରେ ବିଭିନ୍ନ ପ୍ରଶ୍ନ ଉଠିଛି।

