Facebook Instagram Outage: ଆମେରିକାରେ ବାଧାପ୍ରାପ୍ତ ଫେସବୁକ୍-ଇନଷ୍ଟାଗ୍ରାମ ସେବା, ହଜାର ହଜାର ୟୁଜରଙ୍କୁ ଲାଗିଲା ଝଟକା
ନୂଆଦିଲ୍ଲୀ: ଆମେରିକାରେ ମେଟାର ଦୁଇ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମର ସେବାରେ ବଡ଼ ବିଭ୍ରାଟ ଦେଖାଦେଇଛି। ହଠାତ୍ ସେବା ଠପ୍ ହୋଇଯିବାରୁ ହଜାର ହଜାର ୟୁଜର ନିଜ ଆକାଉଣ୍ଟ ଆକ୍ସେସ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୱେବସାଇଟ୍ ଓ ଆପ୍ରେ ଏହି ଯାନ୍ତ୍ରିକ ବିଭ୍ରାଟ ନେଇ ଡାଉନ୍ଡିଟେକ୍ଟରରେ ବହୁ ଅଭିଯୋଗ ରେକର୍ଡ ହୋଇଥିଲା।
ଡାଉନ୍ଡିଟେକ୍ଟର ତଥ୍ୟ ଅନୁସାରେ, ରବିବାର ରାତି ପ୍ରାୟ ୯ଟା ୧୧ ସୁଦ୍ଧା ଫେସବୁକ୍ ସେବାରେ ବିଭ୍ରାଟ ନେଇ ୧୭ ହଜାରରୁ ଅଧିକ ଅଭିଯୋଗ ଆସିଥିଲା। ସେହିପରି ୫ ହଜାରରୁ ଅଧିକ ୟୁଜର ଇନଷ୍ଟାଗ୍ରାମ ଆପ୍ କାମ କରୁନଥିବା ନେଇ ଅଭିଯୋଗ କରିଥିଲେ। ତେବେ ଏହି ବିଭ୍ରାଟର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ତତ୍କାଳ ମିଳିନଥିଲା।
ଡାଉନ୍ଡିଟେକ୍ଟର ଏକ ଅନଲାଇନ୍ ପ୍ଲାଟଫର୍ମ, ଯାହା ବିଭିନ୍ନ ୱେବସାଇଟ୍ ଓ ଅନଲାଇନ୍ ସେବାରେ ହେଉଥିବା ବିଭ୍ରାଟକୁ ଟ୍ରାକ୍ କରେ। ୟୁଜରଙ୍କ ଦ୍ୱାରା ରିପୋର୍ଟ ହେଉଥିବା ସମସ୍ୟାକୁ ଆଧାର କରି ଏହା ସେବା ବିଭ୍ରାଟର ତଥ୍ୟ ପ୍ରକାଶ କରିଥାଏ। ଫେସବୁକ୍ ଓ ଇନଷ୍ଟାଗ୍ରାମର ଏହି ବିଭ୍ରାଟ ଯୋଗୁଁ ଆମେରିକାର ଅନେକ ୟୁଜର କିଛି ସମୟ ପାଇଁ ସେବା ବ୍ୟବହାର କରିପାରିନଥିଲେ।

