Vijay London Visit: ‘ଡେଡ୍ ଇକୋନୋମି’ କହି ବିଜୟଙ୍କ ଲଣ୍ଡନ ଗସ୍ତକୁ ଅନ୍ନାମଲାଇଙ୍କ ସମାଲୋଚନା, ‘ମାଦୁରାଇ-କୋଏମ୍ବାଟୋରରେ ନିବେଶ ଆଣନ୍ତୁ’
ତାମିଲନାଡୁ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସମ୍ପ୍ରତି ଲଣ୍ଡନ ଗସ୍ତକୁ ନେଇ ବିଜେପିର ପୂର୍ବତନ ତାମିଲନାଡୁ ଅଧ୍ୟକ୍ଷ କେ. ଅନ୍ନାମଲାଇ ସମାଲୋଚନା କରିଛନ୍ତି। ଏକ୍ସରେ ପୋଷ୍ଟ କରି ଅନ୍ନାମଲାଇ ବ୍ରିଟେନକୁ ‘ଡେଡ୍ ଇକୋନୋମି’ ବୋଲି ଅଭିହିତ କରିବା ସହ ନିବେଶ ଆଣିବା ପାଇଁ ଏତେ ବଡ଼ ପ୍ରତିନିଧିମଣ୍ଡଳ ନେଇ ଲଣ୍ଡନ ଯିବାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଭାରତୀୟ ଅର୍ଥନୀତିର ଆକାର ବ୍ରିଟେନଠାରୁ ବଡ଼ ବୋଲି ଦର୍ଶାଇ ସେ ତାମିଲନାଡୁର କୋଏମ୍ବାଟୋର ଓ ମାଦୁରାଇ ଭଳି ସହରରେ ଥିବା ଶିଳ୍ପପତିମାନଙ୍କ ସହ ଆଲୋଚନା କରି ରାଜ୍ୟରେ ନିବେଶ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ, ବିଜୟଙ୍କ ଲଣ୍ଡନ ଗସ୍ତ ପରେ ତାମିଲନାଡୁ ସରକାର ପ୍ରାୟ ୧୫,୩୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିବା ଏବଂ ୧୦ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଚାକିରି ସୃଷ୍ଟି ହେବାର ଆଶା ରହିଥିବା କହିଛି। ଏହି ଗସ୍ତ ସମୟରେ ଅଟୋ କମ୍ପୋନେଣ୍ଟ୍, ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ, ରିନ୍ୟୁଏବଲ ଏନର୍ଜି, ପାୱାର-ଗ୍ରିଡ୍ ଉପକରଣ ଓ ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ସମେତ ବିଭିନ୍ନ କ୍ଷେତ୍ରରେ MoU ଓ ନିବେଶ ପ୍ରତିଶ୍ରୁତି ମିଳିଥିବା ସରକାର କହିଛି।
ଏହାରି ମଧ୍ୟରେ ବିଜୟଙ୍କ ଉପରେ ବିରୋଧୀ ଦଳର ନେତାମାନଙ୍କ ସମାଲୋଚନା ମଧ୍ୟ ଜାରି ରହିଛି। ବିଜୟ ବିଧାନସଭାରେ ବାସ୍ତବ ପ୍ରଶାସନିକ ପ୍ରଶ୍ନର ସିଧାସଳଖ ଉତ୍ତର ଦେବା ପରିବର୍ତ୍ତେ ‘ସିନେମା ଷ୍ଟାଇଲ୍’ ପଞ୍ଚ୍ ଡାଏଲଗ୍ ଓ ଅଭିନୟ ଉପରେ ଅଧିକ ନିର୍ଭର କରୁଥିବା ନେଇ ଉଦୟନିଧି ଷ୍ଟାଲିନ ଟିପ୍ପଣୀ କରିଥିବା ରିପୋର୍ଟ ହୋଇଛି। ଏହି ରାଜନୈତିକ ବିବାଦ ମଧ୍ୟରେ ତାମିଲନାଡୁ ସରକାର ବିଜୟଙ୍କ ୟୁକେ ଗସ୍ତକୁ ରାଜ୍ୟକୁ ଅଧିକ ନିବେଶ ଆଣିବା ଓ ୨୦୩୬ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ଦିଗରେ ଏକ ପଦକ୍ଷେପ ଭାବେ ଦର୍ଶାଇଛି।

