Nainital Water Contamination: ଦୂଷିତ ପାଣି ଯୋଗୁଁ ୨ ମୃତ୍ୟୁ ପରେ ୬ ଇଞ୍ଜିନିୟର ନିଲମ୍ବିତ, ନୈନିତାଲରେ ବଡ଼ କାର୍ଯ୍ୟାନୁଷ୍ଠାନ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ଜ୍ୟୋଲିକୋଟ ଅଞ୍ଚଳରେ ଦୂଷିତ ପାନୀୟ ଜଳ ଯୋଗୁଁ ଅନେକ ଲୋକ ଅସୁସ୍ଥ ହେବା ଏବଂ ୨ ଜଣଙ୍କ ମୃତ୍ୟୁ ପରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦାୟିତ୍ୱ ନିର୍ବାହରେ ଅବହେଳା ଅଭିଯୋଗରେ ଉତ୍ତରାଖଣ୍ଡ ଜଳ ସଂସ୍ଥାନ ଏବଂ ପେୟଜଳ ନିଗମର ୬ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ଜ୍ୟୋଲିକୋଟ ଓ ଏହାର ଆଖପାଖ ଅଞ୍ଚଳରେ ଜଳଜନିତ ରୋଗ ବ୍ୟାପିବା ପରେ ଅନେକ ଲୋକ ଅସୁସ୍ଥ ହୋଇଥିଲେ। ରିପୋର୍ଟ ଅନୁସାରେ, ପୀଡ଼ିତ ଅଞ୍ଚଳଗୁଡ଼ିକରେ ପୀଲିଆ ଓ ଡାଇରିଆ ଭଳି ସମସ୍ୟା ଦେଖାଦେଇଥିଲା। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରି ପାନୀୟ ଜଳର ଗୁଣବତ୍ତା ଯାଞ୍ଚ, ପାଇପ୍ଲାଇନ୍ ଓ ଜଳ ଯୋଗାଣ ବ୍ୟବସ୍ଥାର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ସୁବିଧା ନିଶ୍ଚିତ କରିବାକୁ କହିଥିଲେ।
ଅନ୍ୟପଟେ, ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ଟିମ୍ ମୁତୟନ କରାଯାଇଥିବା ସହ ପାଣିର ନମୁନା ପରୀକ୍ଷା ଓ ଅନ୍ୟାନ୍ୟ ପଦକ୍ଷେପ ଜାରି ରହିଛି। ଜନସ୍ୱାସ୍ଥ୍ୟ ସମ୍ପର୍କିତ ମାମଲାରେ ଅବହେଳା ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ପକ୍ଷରୁ କୁହାଯାଇଛି।

