ONGC Gas Discovery: କୋଣାର୍କଠାରୁ ୪୩ କିମି ଦୂର ସମୁଦ୍ରରେ ଗ୍ୟାସ୍ ଠାବ, ୧୪୫୦ ମିଟର ଗଭୀରତାରେ ମିଳିଲା ସନ୍ଧାନ
ନୂଆଦିଲ୍ଲୀ: ଓଡ଼ିଶା ଉପକୂଳର ଗଭୀର ସମୁଦ୍ରରେ ଗ୍ୟାସ୍ ସନ୍ଧାନ କରି ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ (ONGC)କୁ ବଡ଼ ସଫଳତା ମିଳିଛି। ମହାନଦୀ ଅଫ୍ସୋର ବେସିନ୍ର MN-DWHP-18-1-H କୂପରେ ଗ୍ୟାସ୍ର ସନ୍ଧାନ ମିଳିଛି। ଏହି କୂପ କୋଣାର୍କଠାରୁ ପ୍ରାୟ ୪୩ କିଲୋମିଟର ଦୂରରେ ରହିଛି। ONGCର ‘ସମୁଦ୍ର ମନ୍ଥନ ଗଭୀର ଜଳ’ ଅନୁସନ୍ଧାନ ଅଭିଯାନ ଅଧୀନରେ ମହାନଦୀ ବେସିନ୍ରେ ଖନନ କରାଯାଇଥିବା ଏହା ପ୍ରଥମ କୂପ ବୋଲି ଜଣାପଡ଼ିଛି।
ପ୍ରାୟ ୧,୪୫୦ ମିଟର ଗଭୀରତାରେ ଗ୍ୟାସ୍ ପ୍ରବାହର ସନ୍ଧାନ ମିଳିଥିବା ବେଳେ ୧,୪୪୧ରୁ ୧,୪୫୨ ମିଟର ଗଭୀରତା ମଧ୍ୟରେ ଗ୍ୟାସ୍ ଥିବା ଜଣାପଡ଼ିଛି। କୂପଟିକୁ ମୋଟ ୧,୬୨୩ ମିଟର ଗଭୀର ପର୍ଯ୍ୟନ୍ତ ଖନନ କରାଯାଇଥିଲା। ONGC ଅନୁସାରେ, କୂପରୁ ଗତ ତିନି ଦିନ ଧରି ଗ୍ୟାସ୍ ପ୍ରବାହ ହେଉଛି ଏବଂ ପ୍ରାଥମିକ ଭାବେ ଏହା ଉତ୍ସାହଜନକ ରହିଛି। ତେବେ ଏହାକୁ ଏପର୍ଯ୍ୟନ୍ତ ବାଣିଜ୍ୟିକ ଗ୍ୟାସ୍ ଉତ୍ସ ଭାବେ ଘୋଷଣା କରାଯାଇନାହିଁ।
ଏହି ଆବିଷ୍କାରର ବାଣିଜ୍ୟିକ କ୍ଷମତା ଜାଣିବା ପାଇଁ ONGC ପକ୍ଷରୁ ଆହୁରି ମୂଲ୍ୟାଙ୍କନ କରାଯିବ। ଗ୍ୟାସ୍ ଭଣ୍ଡାରର ପରିମାଣ, ଉତ୍ପାଦନ କ୍ଷମତା ଓ ଏହାକୁ ବିକଶିତ କରିବାର ସମ୍ଭାବନା ଯାଞ୍ଚ କରାଯିବ। ସହଭାଗୀ ଭିତ୍ତିଭୂମି ଓ ଉପଲବ୍ଧ ସୁବିଧା ମାଧ୍ୟମରେ ଏହି ଆବିଷ୍କାରକୁ ବିକଶିତ କରାଯାଇପାରିବ ବୋଲି କମ୍ପାନି କହିଛି। ଆଗାମୀ ମୂଲ୍ୟାଙ୍କନ ପରେ ଏହାର ବାଣିଜ୍ୟିକ ବ୍ୟବହାର ନେଇ ନିଷ୍ପତ୍ତି ନିଆଯିବ।

