Vinayaka Chavithi: ଅନ୍ନଦାନ କାର୍ଯ୍ୟକ୍ରମରେ ଅଘଟଣ, ଫୁଟୁଥିବା ରନ୍ଧା ଖାଦ୍ୟରେ ପଡ଼ି ୪୬ ବର୍ଷୀୟା ମହିଳାଙ୍କ ମୃତ୍ୟୁ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ବିନାୟକ ଚତୁର୍ଥୀ ଅବସରରେ ଆୟୋଜିତ ଅନ୍ନଦାନ କାର୍ଯ୍ୟକ୍ରମରେ ଘଟିଛି ଦୁଃଖଦ ଅଘଟଣ। ରୋଷେଇ ବ୍ୟବସ୍ଥାରେ ସହଯୋଗ କରୁଥିବା ୪୬ ବର୍ଷୀୟା ସୁଜାତା ଫୁଟୁଥିବା ସାମ୍ବାର ଭର୍ତ୍ତି ବଡ଼ ପାତ୍ରରେ ଅସାବଧାନତାବଶତଃ ପଡ଼ିଯାଇଥିଲେ। ଏହା ପରେ ସେ ଗୁରୁତର ଭାବେ ପୋଡ଼ିଯାଇଥିଲେ।
ଘଟଣା ପରେ ମହିଳାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି। ତେବେ ଗୁରୁତର ପୋଡ଼ା ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ନଦାନ କାର୍ଯ୍ୟକ୍ରମ ବେଳେ ଏପରି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।
ପ୍ରାଥମିକ ଭାବେ ମିଳିଥିବା ସୂଚନା ଆଧାରରେ ପୁଲିସ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ଧରି ତଦନ୍ତ କରୁଛି। ତେବେ ଘଟଣାର ସଠିକ୍ କାରଣ ଓ ପରିସ୍ଥିତି ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି।

