IIT Bombay Hostel: ଛାତ୍ର ମୃତ୍ୟୁ ପରେ ହଷ୍ଟେଲରୁ ହଟିବ ସିଲିଂ ଫ୍ୟାନ୍
ମୁମ୍ବାଇ: ମୁମ୍ବାଇସ୍ଥିତ IIT Bombayର ହଷ୍ଟେଲଗୁଡ଼ିକରେ ଏବେ ସିଲିଂ ଫ୍ୟାନ୍ ବଦଳରେ ଲାଗିବ ୱାଲ୍-ମାଉଣ୍ଟେଡ୍ ଫ୍ୟାନ୍ । ଏହି ପରିବର୍ତ୍ତନ ପାଇଁ ନୂଆ ଫ୍ୟାନ୍ର ପ୍ରଥମ ପର୍ଯ୍ୟାୟ କ୍ୟାମ୍ପସରେ ପହଞ୍ଚିସାରିଛି। ନିକଟରେ ଦ୍ୱିତୀୟ ବର୍ଷର ବିଟେକ୍ ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ପରେ ହଷ୍ଟେଲ ସୁରକ୍ଷାକୁ ନେଇ ଚର୍ଚ୍ଚା ମଧ୍ୟରେ ଏହି ପଦକ୍ଷେପ ଚର୍ଚ୍ଚାକୁ ଆସିଛି।
ତେବେ IIT Bombay ପକ୍ଷରୁ କୁହାଯାଇଛି ଯେ, ଫ୍ୟାନ୍ ବଦଳାଇବାର ନିଷ୍ପତ୍ତିକୁ କେବଳ ସାମ୍ପ୍ରତିକ ଛାତ୍ର ମୃତ୍ୟୁ ସହ ଯୋଡ଼ି ଦେଖିବା ଠିକ୍ ନୁହେଁ। ଏହା ହଷ୍ଟେଲରେ ଚାଲିଥିବା ବ୍ୟାପକ ନବୀକରଣ କାର୍ଯ୍ୟର ଏକ ଅଂଶ ବୋଲି ପ୍ରତିଷ୍ଠାନ କହିଛି। ପ୍ରାୟ ଦୁଇ ମାସ ଧରି ଏହି ପରିବର୍ତ୍ତନ ନେଇ ବିଚାର ଚାଲିଥିଲା ଏବଂ ନିକଟରେ ଏହାକୁ ଅନ୍ତିମ ରୂପ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।
କେବଳ ହଷ୍ଟେଲ ରୁମ୍ ନୁହେଁ, କ୍ୟାମ୍ପସର ଅନ୍ୟାନ୍ୟ ୟୁଟିଲିଟି ଅଞ୍ଚଳରେ ମଧ୍ୟ ୱାଲ୍-ମାଉଣ୍ଟେଡ୍ ଫ୍ୟାନ୍ ଲଗାଇବାର ଯୋଜନା ରହିଛି। ସେପଟେ ସାହିଲ ୱାକୋଡେଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି ଏବଂ ଏହାକୁ ନେଇ କ୍ୟାମ୍ପସରେ ଛାତ୍ରମାନଙ୍କ ଦାବି ଓ ଆନ୍ଦୋଳନ ମଧ୍ୟ ଚାଲିଛି।

