Anti-Narcotics Conference: ନିଶା ବିରୋଧୀ ଲଢ଼େଇକୁ ନୂଆ ଦିଗ, ୨୦୪୭ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ନିଶା ବିରୋଧୀ ସମ୍ମିଳନୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀର ଉଦଘାଟନ କରିଛନ୍ତି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସର ମୁଖ୍ୟଙ୍କ ସମେତ ବିଭିନ୍ନ ସରକାରୀ ବିଭାଗ ଓ ସମ୍ପୃକ୍ତ ସଂସ୍ଥାର ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି। ନିଶା କାରବାର ଓ ନିଶାସେବନ ରୋକିବା ନେଇ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକର ସମନ୍ୱୟ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଉଛି।
ସମ୍ମିଳନୀର ମୁଖ୍ୟ ଆଲୋଚନା ରହିଛି ୨୦୨୬-୨୦୨୯ ନାର୍କୋଟିକ୍ସ ନିୟନ୍ତ୍ରଣ ଭିଜନ୍ ଡକ୍ୟୁମେଣ୍ଟର ଲକ୍ଷ୍ୟ ଓ ଅଗ୍ରଗତିର ସମୀକ୍ଷା। ନିଶା କାରବାର ନେଟୱର୍କ ଓ ବଡ଼ ଗ୍ୟାଙ୍ଗକୁ ଭାଙ୍ଗିବା, ସିନ୍ଥେଟିକ୍ ଡ୍ରଗ୍ସ ଓ ଗୁପ୍ତ ଲ୍ୟାବ୍ ଉପରେ ନଜର, ଡାର୍କନେଟ୍ ଓ କ୍ରିପ୍ଟୋ ମାଧ୍ୟମରେ ହେଉଥିବା ଅପରାଧର ତଦନ୍ତ ଏବଂ ନିଶାସକ୍ତଙ୍କ ପାଇଁ ପ୍ରତିରୋଧ, ଚିକିତ୍ସା ଓ ପୁନର୍ବାସ ଭଳି ବିଷୟ ଉପରେ ମଧ୍ୟ ଆଲୋଚନା ହେବ।
କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା। ଚଳିତ ତିନିବର୍ଷିଆ ଯୋଜନା ଏହି ବୃହତ୍ ଲକ୍ଷ୍ୟ ଦିଗରେ ଏକ ପର୍ଯ୍ୟାୟ ଭାବେ ଦେଖାଯାଉଛି। ସମ୍ମିଳନୀରେ ନିଶା କାରବାର ବିରୋଧରେ ଆଗାମୀ ଦିନର ରଣନୀତି ଓ ରାଜ୍ୟ-କେନ୍ଦ୍ରୀୟ ଏଜେନ୍ସି ମଧ୍ୟରେ ସମନ୍ୱୟକୁ ଆହୁରି ମଜବୁତ କରିବା ନେଇ ଆଲୋଚନା ହେଉଛି।

