Mexico School Phone Rules: ପିଲାଙ୍କ ମୋବାଇଲ୍ ବ୍ୟବହାର ଉପରେ କଡ଼ା ନିୟମ, ସ୍କୁଲ୍ରେ ଫୋନ୍ ଚଳାଇବାକୁ ଲାଗିଲା ରୋକ
ନୂଆଦିଲ୍ଲୀ: ପିଲାମାନଙ୍କ ମୋବାଇଲ୍ ଓ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ ବିଶ୍ୱର ଅନେକ ଦେଶ ନୂଆ ନିୟମ ଆଣୁଥିବା ବେଳେ ଏହି ତାଲିକାରେ ମେକ୍ସିକୋ ମଧ୍ୟ ସାମିଲ ହୋଇଛି। ମେକ୍ସିକୋ ସରକାର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ ଓ ଅନ୍ୟ ବ୍ୟକ୍ତିଗତ ଡିଜିଟାଲ୍ ଉପକରଣ ବ୍ୟବହାର ଉପରେ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ନଭେମ୍ବର ୩, ୨୦୨୬ରୁ ଲାଗୁ ହେବ।
ନୂଆ ବ୍ୟବସ୍ଥା ଅନୁସାରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ସାରା ସ୍କୁଲ୍ ସମୟରେ ମୋବାଇଲ୍ ବ୍ୟବହାର ଉପରେ ରୋକ ରହିବ। ତେବେ ଶିକ୍ଷକଙ୍କ ନିର୍ଦ୍ଦେଶରେ ଶିକ୍ଷା ସମ୍ପର୍କିତ କାମ, ଜରୁରୀ ପରିସ୍ଥିତି, ସ୍ୱାସ୍ଥ୍ୟଗତ ଆବଶ୍ୟକତା କିମ୍ବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଭଳି କିଛି କ୍ଷେତ୍ରରେ ଏହାର ବ୍ୟତିକ୍ରମ ରହିବ। ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ନିଜ ପରିସ୍ଥିତି ଅନୁସାରେ ମୋବାଇଲ୍ ବ୍ୟବହାରର ନିୟମ ଧାର୍ଯ୍ୟ କରିବ।
ମେକ୍ସିକୋର ଏହି ପଦକ୍ଷେପ ପଛରେ ଛାତ୍ରଛାତ୍ରୀଙ୍କ ଧ୍ୟାନ, ଶିକ୍ଷା ଓ ସାମାଜିକ ଯୋଗାଯୋଗକୁ ନେଇ ଚିନ୍ତାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ସ୍କୁଲ୍ ବାହାରେ ପିଲାମାନଙ୍କ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ ମଧ୍ୟ ବିଶ୍ୱର ବିଭିନ୍ନ ସରକାର ନୂଆ ସୀମା ଓ ନିୟମ ଉପରେ ଆଲୋଚନା କରୁଛନ୍ତି। ଏହା ଫଳରେ ପିଲାଙ୍କ ଡିଜିଟାଲ୍ ବ୍ୟବହାରକୁ ନେଇ ଆଗାମୀ ଦିନରେ ଆହୁରି ନିୟମ ଆସିବାର ସମ୍ଭାବନା ନେଇ ଚର୍ଚ୍ଚା ବଢ଼ିଛି।

