Nagpur Case: ବିବାହକୁ ନେଇ ବିବାଦ ପରେ ଯୁବତୀଙ୍କ ମୃତ୍ୟୁ; ପ୍ରେମିକଙ୍କ ବିରୋଧରେ ମାମଲା, ୨୩ ମିନିଟ୍ ଚାଲିଥିଲା Video Call
ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁରରେ ଏକ ଯୁବତୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଦୀର୍ଘବର୍ଷର ସମ୍ପର୍କ ପରେ ପ୍ରେମିକ ବିବାହ କରିବାକୁ ମନା କରିବାରୁ ଯୁବତୀ ଭିଡିଓ କଲ୍ରେ ତାଙ୍କ ସହ କଥା ହେଉଥିବା ବେଳେ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଧନ୍ତୋଲି ପୁଲିସ ତାଙ୍କ ୩୪ ବର୍ଷୀୟ ପ୍ରେମିକଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ମାମଲା ରୁଜୁ କରିଛି। ପୁଲିସ ଅନୁସାରେ, ଅଭିଯୁକ୍ତ ଅମରାବତୀର ବାସିନ୍ଦା ଏବଂ ବର୍ତ୍ତମାନ ପୁଣେରେ ପିଏଚ୍ଡି କରୁଛନ୍ତି।
ପୁଲିସ ଓ ପରିବାରର ଅଭିଯୋଗ ଅନୁସାରେ, ଯୁବତୀ ନାଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ଧନ୍ତୋଲି ଅଞ୍ଚଳରେ ଜଣେ ସାଙ୍ଗଙ୍କ ସହ ରହୁଥିଲେ। ଦୁହିଁଙ୍କ ମଧ୍ୟରେ ୨୦୧୫ରୁ ସମ୍ପର୍କ ଥିବା କୁହାଯାଇଛି। କିଛି ମାସ ପୂର୍ବରୁ ଅଭିଯୁକ୍ତ ଜଣେ ବନ୍ଧୁଙ୍କ ସହ ଯୁବତୀଙ୍କ ମା’ଙ୍କୁ ଭେଟି ବିବାହ କରିବାକୁ ଇଚ୍ଛା ଥିବା କହିଥିଲେ ଏବଂ ପରିବାର ମଧ୍ୟ ଏଥିରେ ସମ୍ମତି ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ପରେ ତାଙ୍କ ପରିବାର ବିବାହକୁ ବିରୋଧ କରିଥିବାରୁ ସେ ଏହି କଥା ଯୁବତୀଙ୍କୁ ନଜଣାଇ ସମ୍ପର୍କ ଜାରି ରଖିଥିବା ପୁଲିସ କହିଛି। ବିବାହ କଥା ଉଠିଲେ ସେ ଏଡ଼ାଇ ଯାଉଥିଲେ ଏବଂ ପରେ ବିବାହ କରିପାରିବେ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି। ଏହାସହ ବିବାହ ପାଇଁ ଚାପ ଦେଲେ ଯୁବତୀଙ୍କ ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ପ୍ରଚାର କରିଦେବାକୁ ଧମକ ଦିଆଯାଇଥିବା ମା’ ଅଭିଯୋଗ କରିଛନ୍ତି।
ସେପ୍ଟେମ୍ବର ୧୯ ରାତିରେ ଯୁବତୀ ଅଭିଯୁକ୍ତଙ୍କୁ ଭିଡିଓ କଲ୍ କରି ନିଜ ଜୀବନ ଶେଷ କରିବାକୁ ଯାଉଥିବା କହିଥିବା ତାଙ୍କ ମା’ଙ୍କ ଅଭିଯୋଗରେ ଦର୍ଶାଯାଇଛି। କଲ୍ ଚାଲିଥିବା ସମୟରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ପରେ ମଧ୍ୟ ଭିଡିଓ କଲ୍ ପ୍ରାୟ ୨୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଧନ୍ତୋଲି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ ରେକର୍ଡ, ଡିଜିଟାଲ୍ ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଥିବାବେଳେ, ମାମଲାରେ ଥିବା ଅଭିଯୋଗଗୁଡ଼ିକର ଶେଷ ନିଷ୍ପତ୍ତି ତଦନ୍ତ ଓ ଆଇନଗତ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ।

