BJP New In-Charge: ଭାରତୀୟ ଜନତା ପାର୍ଟିର ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା! ଓଡ଼ିଶା ପାଇଁ ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ୱ; ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ମହାରାଷ୍ଟ୍ର
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (BJP) ସଂଗଠନରେ ବଡ଼ ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପକ୍ଷରୁ ୨୩ ସେପ୍ଟେମ୍ବରରେ ଜାରି ତାଲିକାରେ ମୋଟ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସଂଗଠନୀୟ ଦାୟିତ୍ୱ ବଣ୍ଟନ କରାଯାଇଛି। ଏହି ନିଯୁକ୍ତିଗୁଡ଼ିକ ତତ୍କାଳ ଲାଗୁ ହେବ। ନୂଆ ତାଲିକାରେ ଓଡ଼ିଶାର ପ୍ରଭାରୀ ଭାବେ ଡି. ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ଭାବେ ଡ. ସ୍ୱଦେଶ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହି ସାଂଗଠନିକ ପରିବର୍ତ୍ତନରେ ଅନେକ ପ୍ରମୁଖ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣାର ପ୍ରଭାରୀ କରାଯାଇଛି। ହରିଶ ଦ୍ୱିବେଦୀଙ୍କୁ ବିହାର ଓ କର୍ଣ୍ଣାଟକର ଦାୟିତ୍ୱ ମିଳିଥିବା ବେଳେ ରାମ ମାଧବଙ୍କୁ ତାମିଲନାଡୁ ଓ ଉତ୍ତରାଖଣ୍ଡର ପ୍ରଭାରୀ କରାଯାଇଛି। ବିନୋଦ ତାୱଡେଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ମିଳିଛି। ତାଙ୍କ ସହ ଜଗଦୀଶ ପଟେଲ, ମେଘା କୁଲକର୍ଣ୍ଣୀ, ଡ. ପ୍ରଦୀପ ବର୍ମା ଓ ଅନନ୍ତ ଓଝାଙ୍କୁ ସହପ୍ରଭାରୀ କରାଯାଇଛି। ତରୁଣ ଚୁଗ୍ଙ୍କୁ ଗୁଜରାଟ ଏବଂ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶର ଦାୟିତ୍ୱ ମିଳିଛି।
ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ରର ପ୍ରଭାରୀ କରାଯାଇଥିବା ବେଳେ ତାଙ୍କ ସହ ଅମିତ ମାଲବୀୟ, ସଦାନନ୍ଦ ଶେଟ ତନୱାଡେ ଓ କମଲଜିତ ସହରାୱତଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି। ମଧ୍ୟପ୍ରଦେଶର ପ୍ରଭାରୀ ବିପ୍ଲବ କୁମାର ଦେବ ଏବଂ ସହପ୍ରଭାରୀ ରେଖା ବର୍ମା ରହିବେ। ରାଜସ୍ଥାନର ପ୍ରଭାରୀ ଭାବେ ସଞ୍ଜୟ ଭାଟିଆଙ୍କୁ ରଖାଯାଇଥିବା ବେଳେ କବିତା ପାଟିଦାର ଓ କୁଲଜିତ ଚହଲଙ୍କୁ ସହପ୍ରଭାରୀ କରାଯାଇଛି। ଏହି ପରିବର୍ତ୍ତନ ମାଧ୍ୟମରେ BJP ବିଭିନ୍ନ ରାଜ୍ୟର ସଂଗଠନୀୟ ଦାୟିତ୍ୱକୁ ପୁନର୍ଗଠିତ କରିଛି।

