SIR Row: ନିର୍ବାଚନ କମିଶନକୁ ନେଇ ବିବାଦ, ବିରୋଧୀଙ୍କୁ ଜବାବ ଦେଲେ ସମ୍ବିତ ପାତ୍ର
ନୂଆଦିଲ୍ଲୀ: Special Intensive Revision (SIR)କୁ ନେଇ ନିର୍ବାଚନ କମିଶନରେ ମତଭେଦ ଥିବା ରିପୋର୍ଟ ପରେ ରାଜନୈତିକ ବିବାଦ ବଢ଼ିଛି। ଏହାରି ମଧ୍ୟରେ ବିଜେପି ସାଂସଦ ସମ୍ବିତ ପାତ୍ର ନିର୍ବାଚନ କମିଶନଙ୍କ ପକ୍ଷ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ତିନି ନିର୍ବାଚନ କମିଶନରଙ୍କ ମଧ୍ୟରେ ୧୪ ଥର ଚିଠି ଓ ଅଧିକାରିକ ଯୋଗାଯୋଗ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ପାତ୍ର ଏହାକୁ କମିଶନ ଭିତରେ ଆଲୋଚନା ଓ ବିଚାରବିମର୍ଶର ପ୍ରମାଣ ବୋଲି କହିଛନ୍ତି।
ପାତ୍ର କହିଛନ୍ତି, ଯଦି ତିନି ନିର୍ବାଚନ କମିଶନର ପରସ୍ପର ଆଲୋଚନା ନକରି ସବୁ ବିଷୟରେ ଏକମତ ହୋଇଥାନ୍ତେ, ତେବେ ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଥାନ୍ତେ। ଏବେ କମିଶନରମାନଙ୍କ ମଧ୍ୟରେ ଅଧିକାରିକ ଚିଠିପତ୍ର ଓ ମତବିନିମୟ ହୋଇଥିବା ଜଣାପଡ଼ିବା ପରେ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି ବୋଲି ସେ କହିଛନ୍ତି। ଏହାସହ ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ସାମ୍ବିଧାନିକ ସଂସ୍ଥାକୁ ଟାର୍ଗେଟ କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି।
ଅନ୍ୟପକ୍ଷରେ, ଦୁଇ ନିର୍ବାଚନ କମିଶନର କିଛି ନିଷ୍ପତ୍ତି ଓ ପ୍ରକ୍ରିୟାକୁ ନେଇ ଆପତ୍ତି ଜଣାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହା ଉପରେ ECI କହିଛି ଯେ ଆଭ୍ୟନ୍ତରୀଣ ଆଲୋଚନା, ମତାମତ ଓ ପ୍ରସ୍ତାବ ଏକ ସାଧାରଣ ପ୍ରକ୍ରିୟା ଏବଂ ଗତ ଏକ ବର୍ଷରେ କମିଶନର ସମସ୍ତ ମୁଖ୍ୟ ନିଷ୍ପତ୍ତି ସର୍ବସମ୍ମତିରେ ହୋଇଛି। ତେଣୁ SIRକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ତର୍କ ଜାରି ରହିଛି।

