Paneer Adulteration: ମଇଦା, କର୍ଣ୍ଣଫ୍ଲୋର୍ ସହ ଡିଟରଜେଣ୍ଟ ମିଶାଇ ପନିର୍! ୭୦ କ୍ୱିଣ୍ଟାଲ୍ ଜବତ ପରେ ଲ୍ୟାବ୍ ରିପୋର୍ଟରେ ବଡ଼ ଖୁଲାସା
କଟକ: କଟକରେ ଜବତ ହୋଇଥିବା ୭୦ କ୍ୱିଣ୍ଟାଲ୍ରୁ ଅଧିକ ପନିର୍କୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଗତ ଅଗଷ୍ଟ ୧୯ ତାରିଖରେ ଲିଙ୍କରୋଡ୍ ଓ ପ୍ରେସଛକ ଅଞ୍ଚଳରେ ଚଢ଼ାଉ କରି ଏହି ପନିର୍ ଜବତ କରିଥିଲା। ନିଆଳିରୁ ୭ଟି ଅଟୋ ଓ ଟାଟା ଏସି ଗାଡ଼ିରେ କଟକ ସହରକୁ ଆସୁଥିବା ବେଳେ ଲିଙ୍କରୋଡ୍ ନିକଟରୁ ଏହାକୁ ଜବତ କରାଯାଇଥିଲା। ପ୍ରାଥମିକ ପରୀକ୍ଷାରେ ପନିର୍ ଅପମିଶ୍ରିତ ଥିବା ଜଣାପଡ଼ିବା ପରେ ନମୁନାକୁ ପରୀକ୍ଷା ପାଇଁ ହରିୟାଣାର ଏକ ଘରୋଇ ଲ୍ୟାବ୍କୁ ପଠାଯାଇଥିଲା।
ଲ୍ୟାବ୍ ରିପୋର୍ଟ ଅନୁସାରେ, ଜବତ ପନିର୍ରେ ଷ୍ଟାର୍ଚ୍ଚ ଜାତୀୟ ପଦାର୍ଥ ଯଥା ମଇଦା, ଆରାରୁଟ୍ ଓ କର୍ଣ୍ଣଫ୍ଲୋର୍ ମିଶିଥିବା ଜଣାପଡ଼ିଛି। ଏଥିସହ ଲୁଗା ସଫା କରିବାରେ ବ୍ୟବହୃତ ଡିଟରଜେଣ୍ଟ ମଧ୍ୟ ମିଶାଯାଇଥିବା ରିପୋର୍ଟରେ ଥିବା କୁହାଯାଇଛି। କିଛି ବ୍ୟବସାୟୀ ମଧ୍ୟ ଏଭଳି ପନିର୍ ପ୍ରସ୍ତୁତିରେ ମଇଦା, ଆରାରୁଟ୍ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରାଯାଉଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ଜବତ ପନିର୍କୁ ପରେ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ନଷ୍ଟ କରାଯାଇଥିବା ବେଳେ ନମୁନାକୁ ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଥିଲା।
ଏହି ଘଟଣା ପରେ ନିଆଳି ଅଞ୍ଚଳରୁ ଏଭଳି ଅପମିଶ୍ରିତ ପନିର୍ କଟକ ଓ ଭୁବନେଶ୍ୱରକୁ ପଠାଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କେଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀଙ୍କ କହିବା ଅନୁସାରେ, ଜବତ ପନିର୍ରେ ଷ୍ଟାର୍ଚ୍ଚ ସହ ଡିଟରଜେଣ୍ଟ ମିଶିଥିବା ଲ୍ୟାବ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଏବେ ଏହି ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ରହିଛି। ଘଟଣାରେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି।

