Amroha Crime: ମନ୍ଦିର ଯିବା ବାହାନାରେ ଯୁବତୀଙ୍କୁ ଫାର୍ମ ହାଉସ୍ ନେଇ ଦୁଷ୍କର୍ମ ଅଭିଯୋଗ, ୨ CRPF ଯବାନ ଓ ୨ ପୁଲିସ କର୍ମୀ ଗିରଫ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ହସନପୁର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଧାର୍ମିକ ସ୍ଥାନକୁ ନେବା ବାହାନାରେ ଫାର୍ମ ହାଉସ୍କୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଘଟଣାରେ ଦୁଇ ଜଣ CRPF ଯବାନ ଏବଂ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପୁଲିସ ଅଭିଯୋଗ କରିଛି। ଘଟଣା ସେପ୍ଟେମ୍ବର ୨୨ରେ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।
ପୁଲିସର ସୂଚନା ଅନୁସାରେ, ଯୁବତୀଙ୍କର ଅଭିଯୁକ୍ତ CRPF ଯବାନ ମୋହିତ ଓରଫ ବିକ୍କିଙ୍କ ସହ ପୂର୍ବରୁ ପରିଚୟ ଥିଲା। ଘଟଣା ଦିନ ଧାର୍ମିକ ସ୍ଥାନକୁ ଯିବାକୁ କହି ତାଙ୍କୁ ଗାଡ଼ିରେ ନିଆଯାଇଥିଲା। ରାସ୍ତାରେ ମୋହିତଙ୍କ ସହକର୍ମୀ ଲାଲାରାମ ଯାଦବ ମଧ୍ୟ ଗାଡ଼ିରେ ଯୋଗ ଦେଇଥିଲେ। ପରେ ଦୁହେଁ ଯୁବତୀଙ୍କୁ ହସନପୁରର ଏକ ଫାର୍ମ ହାଉସ୍କୁ ନେଇଥିବା ଅଭିଯୋଗ ହୋଇଛି। ସେଠାରେ ପୂର୍ବରୁ ଜଣେ ସବ୍-ଇନସପେକ୍ଟର ଥିବା ବେଳେ ପରେ ଜଣେ ହେଡ୍ କନଷ୍ଟେବଲ୍ ମଧ୍ୟ ସେଠାରେ ପହଞ୍ଚିଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଅମରୋହା ପୁଲିସର ଏକ ଟିମ୍ ଫାର୍ମ ହାଉସ୍ରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିବା ପୁଲିସ କହିଛି। ଏହାସହ ଅଭିଯୋଗରେ ନାମ ଥିବା ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ପୁଲିସ ସେମାନଙ୍କ ରିମାଣ୍ଡ ଆବେଦନ କରିଥିବା ବେଳେ, ତଦନ୍ତ ପରେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଭୂମିକା ସ୍ପଷ୍ଟ ହେବ ବୋଲି ଅମରୋହା ଏସ୍ପି କହିଛନ୍ତି। ଘଟଣାରେ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

