Congress Protest: CEC ଜ୍ଞାନେଶ କୁମାରଙ୍କ ଗିରଫ ଦାବିରେ କୋଲକାତା-ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ
ନୂଆଦିଲ୍ଲୀ: ଚିଫ୍ ଇଲେକ୍ସନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଗିରଫ ଓ ପଦରୁ ହଟାଇବା ଦାବିରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି। କୋଲକାତାରେ କଂଗ୍ରେସ କର୍ମୀମାନେ କଲକାତା ୟୁନିଭର୍ସିଟି ନିକଟରେ ଏକାଠି ହୋଇ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଡ଼କୁ ପ୍ରତିବାଦ ମାର୍ଚ୍ଚ କରିଥିଲେ। ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ଶୁଭଙ୍କର ସରକାରଙ୍କ ନେତୃତ୍ୱରେ କର୍ମୀମାନେ CECଙ୍କ ଗିରଫ ଦାବି ଲେଖାଥିବା ପ୍ଲାକାର୍ଡ ଧରିଥିଲେ।
ଏହି ପ୍ରତିବାଦର ପୃଷ୍ଠଭୂମିରେ ନିର୍ବାଚନ କମିଶନଙ୍କ Special Intensive Revision (SIR)କୁ ନେଇ ଚାଲିଥିବା ବିବାଦ ରହିଛି। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଗତ ୧୦ ମାସରେ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ବିଭିନ୍ନ ନିଷ୍ପତ୍ତି ନେଇ ୧୪ ଥର ଆପତ୍ତି ଉଠାଇଥିଲେ। ଏହାକୁ ନେଇ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ପ୍ରଶ୍ନ ଉଠାଇଛନ୍ତି। ତେବେ ନିର୍ବାଚନ କମିଶନ ଏହି ରିପୋର୍ଟକୁ ନେଇ କହିଛି ଯେ ତିନି ନିର୍ବାଚନ କମିଶନରଙ୍କ ମଧ୍ୟରେ ନିଷ୍ପତ୍ତି ସାମୂହିକ ଭାବେ ନିଆଯାଇଛି ଏବଂ ଅନ୍ତିମ ନିଷ୍ପତ୍ତିରେ ସମ୍ମତି ରହିଥିଲା।
କଂଗ୍ରେସ ଗୁରୁବାର ନିଜର ସମସ୍ତ ରାଜ୍ୟ ୟୁନିଟ୍କୁ ସେପ୍ଟେମ୍ବର ୨୫ରେ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ମାର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଦଳ CECଙ୍କ ଗିରଫ, ପଦରୁ ହଟାଇବା ସହ ତାଙ୍କ କାର୍ଯ୍ୟକାଳରେ ନିଆଯାଇଥିବା ନିଷ୍ପତ୍ତି ଓ ଭୋଟର ତାଲିକା ପରିବର୍ତ୍ତନର ସ୍ୱାଧୀନ ସମୀକ୍ଷା ଦାବି କରିଛି। ଦିଲ୍ଲୀ ଓ କୋଲକାତାରେ ପ୍ରତିବାଦକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ ଓ ବ୍ୟାରିକେଡିଂ ବଢ଼ାଯାଇଥିବା ରିପୋର୍ଟ ଆସିଛି।

