J&K Assembly: ଷ୍ଟେଟହୁଡ୍ ପ୍ରସ୍ତାବକୁ ନେଇ ହଙ୍ଗାମା, BJP ବିଧାୟକ ରନ୍ଧାୱାଙ୍କୁ ବିଧାନସଭାରୁ ବାହାର କଲେ ମାର୍ଶାଲ!
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ବିଧାନସଭାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ରାଜ୍ୟ ମାନ୍ୟତା ପୁନଃସ୍ଥାପନ ସମ୍ପର୍କିତ ପ୍ରସ୍ତାବକୁ ନେଇ ହଙ୍ଗାମା ଦେଖିବାକୁ ମିଳିଥିଲା। ପ୍ରସ୍ତାବରେ ୨୦୦୦ ମସିହାର ସ୍ୱାୟତ୍ତତା ସମ୍ପର୍କିତ ପ୍ରସ୍ତାବର ଉଲ୍ଲେଖକୁ ନେଇ ବିଜେପି ସଦସ୍ୟମାନେ ଆପତ୍ତି ଉଠାଇଥିଲେ। ଏହାପରେ ବିଜେପି ବିଧାୟକମାନେ ସଦନରେ ନାରାବାଜି କରିବା ସହ ପ୍ରତିବାଦ ଜଣାଇଥିଲେ।
୩୦ ମିନିଟ୍ର ସ୍ଥଗିତାଦେଶ ପରେ ସଦନର କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା। ଏହି ସମୟରେ ମଧ୍ୟ ବିଜେପି ସଦସ୍ୟମାନଙ୍କ ନାରାବାଜି ଜାରି ରହିଥିଲା। ହଙ୍ଗାମା ମଧ୍ୟରେ ବିଜେପି ବିଧାୟକ ରନ୍ଧାୱାଙ୍କୁ ମାର୍ଶାଲମାନେ ସଦନରୁ ବାହାରକୁ ନେଇଥିଲେ। ଏହାପରେ ମଧ୍ୟ ବିରୋଧ ଜାରି ରହିବାରୁ ବାଚସ୍ପତି ସଦନର କାର୍ଯ୍ୟକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ କରିଥିଲେ।
ଏହାପୂର୍ବରୁ ଓମାର ଅବଦୁଲ୍ଲା କହିଥିଲେ ଯେ, ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଉପରେ ସଦନରେ ଆଲୋଚନା ହେବା ଉଚିତ। ତାଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କୁ ଜମ୍ମୁ-କଶ୍ମୀରର ପୂର୍ଣ୍ଣ ରାଜ୍ୟ ମାନ୍ୟତା ତୁରନ୍ତ ପୁନଃସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। ବିଜେପି ସଦସ୍ୟମାନେ ପ୍ରସ୍ତାବରେ ୨୦୦୦ ମସିହାର ସ୍ୱାୟତ୍ତତା ପ୍ରସ୍ତାବର ଉଲ୍ଲେଖକୁ ବିରୋଧ କରିଥିଲେ।

