ନୂଆଦିଲ୍ଲୀ: କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ହାରିବା ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସତର୍କ ହୋଇ ଉଠିଛି। ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପାର୍ଟିର ମାରାଥନ ବୈଠକ ଜାରି ରହିଛି। ସାଂଗଠନିକ ପରିବର୍ତ୍ତନ ଏବଂ ସ୍ଵତନ୍ତ୍ର ନିର୍ବାଚନ ରଣନୀତି ଜରିଆରେ ବିଜେପି ସରକାରୀ ବିରୋଧୀ ହାଓ୍ଵାକୁ ପ୍ରତିହତ କରି ଆଗାମୀ ନିର୍ବାଚନଗୁଡ଼ିକରେ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି।
ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଲଙ୍ଗାନରେ ଦଳକୁ ହରାଇବା ପାଇଁ କିଛି ନାହିଁ। କିନ୍ତୁ ମଧ୍ୟ ପ୍ରଦେଶରେ ବିଜେପି କ୍ଷମତାରେ ଅଛି ଏବଂ ଯେମିତି ହେଲେ ଏଠାରେ ଦଳ ବିଜୟ ହାସଲ କରିବାକୁ ଚାହିଁବ। ଅନ୍ୟପଟେ ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସକୁ ହରାଇ ପୁଣି ଥରେ ସରକାର ଗଢିବାକୁ ଅଣ୍ଟା ଭିଡ଼ିଛି, ମାତ୍ର ରାଜନୈତିକ ପରିଦୃଶ୍ୟ ଏବଂ ସମୀକରଣକୁ ଦେଖିଲେ ବିଜେପି ପାଇଁ ଆଗାମୀ ନିର୍ବାଚନ ଜିତିବା ସେତେଟା ସହଜ ନୁହେଁ।
ବିଧାନସଭା ନିର୍ବାଚନ କାହିଁକି ଗୁରୁତ୍ଵପୂର୍ଣ୍ଣ
ବିଜେପି ପାଇଁ ବର୍ତ୍ତମାନ ଆଗାମୀ ବିଧାନସଭା ନିର୍ବାଚନ ଜିତିବା ସବୁଠୁ ଗୁରୁତ୍ଵପୂର୍ଣ୍ଣ, କାରଣ ଯଦି ବିଧାନସଭା ନିର୍ବାଚନରେ ଦଳ ପରାଜିତ ହୁଏ ତେବେ ଏହାର ନକରାତ୍ମକ ପ୍ରଭାବ ଲୋକସଭା ନିର୍ବାଚନ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ସେମିତିରେ ବିଜେପିରେ ଏକମାତ୍ର ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ମୋଦୀଙ୍କ ଚେହେରାରେ ହିଁ ବିଜେପି ଅନେକ ରାଜ୍ୟରେ ନିର୍ବାଚନ ଲଢି ଆସିଛି। ଯଦି ବିଧାନସଭା ନିର୍ବାଚନରେ ଦଳ ପରାଜିତ ହୁଏ ତେବେ ଏହି ପରାଜୟ ମୋଦୀଙ୍କ ପରାଜୟ ବୋଲି ବିରୋଧୀଙ୍କୁ ବଡ଼ ଏଜେଣ୍ଡା ମିଳିଯିବ।
ବିଜେପି-କଂଗ୍ରେସ ମଧ୍ୟରେ ସିଧା ଟକ୍କର
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା, କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ମୋଦୀ ସରକାରଙ୍କ ପାଇଁ ଆଗାମୀ ଲୋକସଭା ନିର୍ବାଚନ ଚିନ୍ତାର କାରଣ ପାଲଟିପାରେ। ୨୦୧୯ ନିର୍ବାଚନର ତଥ୍ୟ ଅନୁଯାୟୀ, ବିଜେପି ୫୪୩ ସିଟରୁ ମୋଟ୍ ୩୦୩ଟିରେ ବିଜୟ ଲାଭ କରିଥିଲା। ସେଥିରୁ ୧୬୧ ସିଟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା। ଆଉ ବିଜେପି ୧୪୭ ଆସନରେ ବାଜିମାତ୍ କରିଥିବା ବେଳେ କଂଗ୍ରେସ ଖାତାକୁ ମାତ୍ର ୯ଟି ସିଟ୍ ଯାଇଥିଲା। ଅବଶିଷ୍ଟ ୫ଟି ଆସନରେ ଅନ୍ୟ ପାର୍ଟି ବିଜୟୀ ହୋଇଥିଲେ। ଏହି ୧୪୭ ସିଟ୍ ବିଜେପିକୁ ମଧ୍ୟ ପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ, ହରିୟାଣା, ଆସାମ ଏବଂ ରାଜସ୍ଥାନରୁ ଆସିଥିଲା।
ମଧ୍ୟପ୍ରଦେଶରେ ବାଜିରେ ଲାଗିଛି ପ୍ରତିଷ୍ଠା
ଏବେ ପରିବର୍ତ୍ତିତ ପରିସ୍ଥିତିରେ ବିଜେପି ହାତରୁ କର୍ଣ୍ଣାଟକ ଖସି ସାରିଥିବା ବେଳେ ହରିୟାଣାରେ ବିଜେପିର ଅବସ୍ଥା ସେତେଟା ଭଲ ନୁହେଁ। ଏହି ଦୁଇ ରାଜ୍ୟରେ ଲୋକସଭା ଆସନ କ୍ରମଶଃ ୨୮ ଏବଂ ୧୦ ଆସନ ରହିଛି। କିନ୍ତୁ ମଧ୍ୟ ପ୍ରଦେଶରେ ବିଜେପି ସରକାରରେ ଥିଲେ ହେଁ ୨୦୧୮ ନିର୍ବାଚନରେ ପାର୍ଟି ପରାଜିତ ହୋଇଥିଲା। ୨୦୨୦ରେ ଦଳବଦଳ ସାହାରାରେ ଦଳ ପୁଣି ଥରେ ସରକାର ଗଢିବାରେ ସକ୍ଷମ ହୋଇଥିଲା। କୁହାଯାଉଛି ସଂପ୍ରତି ଶିବରାଜ ସରକାର ବିରୋଧରେ ସରକାର ବିରୋଧୀ ହାଓ୍ଵା ପ୍ରବଳ ରହିଛି। ଅନ୍ୟପକ୍ଷେ କଂଗ୍ରେସ ଛତିଶଗଡ଼ ଏବଂ ରାଜସ୍ଥାନରେ ମଜବୁତ ସ୍ଥିତିରେ ରହିଛି।
ବିରୋଧୀ ଏକତା ସବୁଠୁ ବଡ଼ ମୁସ୍କିଲ
ତଥ୍ୟ ଅନୁଯାୟୀ, ୨୦୧୯ରେ ବିଜେପି ଜିତିଥିବା ମୋଟ୍ ୩୦୩ ସିଟରୁ ୧୯୮ ସିଟରେ ପାର୍ଟିର ମୁକାବିଲା ଅନ୍ୟ ଦଳ ସହିତ ରହିଥିଲା। ଏଥିରୁ ମୋଟ୍ ୧୧୬ଟି ସିଟରେ ବିଜେପି ବିଜୟ ଲାଭ କରିଥିବା ବେଳେ ଅନ୍ୟ ଖାତାକୁ ୭୬ଟି ଆସନ ଯାଇଥିଲା। କଂଗ୍ରେସକୁ ମାତ୍ର ୬ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବିଜେପି କର୍ଣ୍ଣାଟକ, ହିମାଚଳ, ପଞ୍ଜାବ, ତେଲଙ୍ଗାନା, ହରିୟାଣା, ବିହାର ଏବଂ ମହାରାଷ୍ଟ୍ରରୁ ଏହି ସିଟ୍ ସବୁ ହାତେଇଥିଲା। ରାଜନୈତିକ ବିଶ୍ଳେଷକଙ୍କ ମତରେ ବିରୋଧୀ ଏକତା କାରଣରୁ ଉପରୋକ୍ତ ୧୯୮ ସିଟରେ ବିଜେପିକୁ ବଡ଼ ମୁସ୍କିଲ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ବିହାରରେ ଜେଡିୟୁ-ଆରଜେଡି-କଂଗ୍ରେସର ମହାମେଣ୍ଟ ରହିଥିବା ବେଳେ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ିର ସ୍ଥିତି ମଜବୁତ ରହିଛି। ପଞ୍ଜାବରେ ଆପ ଥିବା ବେଳେ ହରିୟାଣା ଏବଂ କର୍ଣ୍ଣାଟକରେ କଂଗ୍ରେସ ଓ ତେଲଙ୍ଗାନାରେ କେସିଆରଙ୍କ ପାର୍ଟି ରହିଛି।
ନିର୍ବାଚନ ତଥ୍ୟ ମୁତାବକ, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ପଞ୍ଜାବରେ ମୋଟ୍ ୯୩ ଲୋକସଭା ସିଟରେ ଖୋଲା ମୁକାବିଲା ହୋଇଥିଲା ଅର୍ଥାତ ଅନେକ ଦଳ ମଇଦାନରେ ଥିଲେ। ଏଥିରୁ ବିଜେପି ୪୦, କଂଗ୍ରେସ ୧୨ ଏବଂ ଅନ୍ୟ ୪୧ଟି ଆସନରେ ବାଜିମାତ୍ କରିଥିଲେ। ଏବେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ପହିଲମାନଙ୍କ ଆନ୍ଦୋଳନ ଏବଂ କୃଷକ ଆନ୍ଦୋଳନ ଯୋଗୁଁ ଜାଟ୍ ବହୁଳ ହରିୟାଣା, ପଶ୍ଚିମ ୟୁପି, ପଞ୍ଜାବ ଏବଂ ରାଜସ୍ଥାନରେ ବିଜେପିକୁ ମୁସ୍କିଲ ହୋଇପାରେ।
ପାର୍ଟିକୁ ଏହି ସବୁ ସଙ୍କଟର ଆଭାସ ମିଳି ସାରିଛି। ତେଣୁ ବର୍ତ୍ତମାନ ମାରାଥନ ବୈଠକ କରି ରାଜନୈତିକ ବାଧାବିଘ୍ନକୁ ଏଡ଼ାଇବା ଦିଗରେ ଦଳ ଆଗକୁ ବଢୁଛି। ଏହି କ୍ରମରେ ଆଭ୍ୟନ୍ତରୀଣ କନ୍ଦଳ ସତ୍ତ୍ଵେ ବିଜେପି ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ନାମକୁ ଆଗକୁ ଆଣିଛି। ଏବେ ଦେଖିବା ବାକି ରହିଲା ବିଜେପି ଆଗାମୀ ବିଧାନସଭା ନିର୍ବାଚନରେ କେମିତି ପ୍ରଦର୍ଶନ କରୁଛି।