Imran Khan Release Protest: ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ଦେଶବ୍ୟାପୀ ଆନ୍ଦୋଳନ, ଇସଲାମାବାଦରେ କଡ଼ା ସୁରକ୍ଷା
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ୍ (PTI) ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରଖିବାକୁ ଘୋଷଣା କରିଛି। ପ୍ରସ୍ତାବିତ ମାର୍ଚ୍ଚକୁ ଦୃଷ୍ଟିରେ ରଖି ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଦଳର ନେତାମାନେ ଆନ୍ଦୋଳନ ଜାରି ରଖିବାକୁ ଦୃଢ଼ ଥିବା କହିଛନ୍ତି।
ଇସଲାମାବାଦର ବିଭିନ୍ନ ରାସ୍ତାରେ ୧,୦୦୦ରୁ ଅଧିକ ମାଲବାହୀ କଣ୍ଟେନର ରଖି ରାସ୍ତା ବନ୍ଦ କରାଯାଇଛି। କିଛି କଣ୍ଟେନରରେ ସୁରକ୍ଷା ପାଇଁ କଣ୍ଟା ଲଗାଯାଇଥିବା ବେଳେ ବ୍ରିଜ୍ଗୁଡ଼ିକରେ ବାଲି ବସ୍ତା ରଖାଯାଇଛି। ରାଜଧାନୀକୁ ଯାଉଥିବା ଏକ ପ୍ରମୁଖ ରାଜପଥକୁ ମଧ୍ୟ ବନ୍ଦ କରାଯାଇଛି।
ସେହିପରି ଇସଲାମାବାଦରେ ସାଧାରଣ ସଭା ଓ ଜନସମାବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି। ସହରରେ ପ୍ରାୟ ୨୨,୦୦୦ ପୁଲିସ ଓ ଅନ୍ୟ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପ୍ରସ୍ତାବିତ ମାର୍ଚ୍ଚକୁ ନଜରରେ ରଖି ସୁରକ୍ଷା ବଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ନଜରଦାରୀ ବଢ଼ାଯାଇଛି।

