ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଜଣେ ଶିଷ୍ୟଙ୍କ ମୃତ୍ୟୁକ
ଉତ୍ତରପ୍ରଦେଶର ବୃନ୍ଦାବନସ୍ଥିତ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଜଣେ ଶିଷ୍ୟଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକଙ୍କ ନାମ ଦୀପକ ଲୋଧି, ଯିଏ ‘ରସିକ ଦୁଲାରୀ ଶରଣ’ ନାମରେ ମଧ୍ୟ ପରିଚିତ ଥିଲେ। ସେ ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଏବଂ ଗୁରୁ କୃପା କୁଞ୍ଜ ଆଶ୍ରମରେ ରହୁଥିଲେ। ଶୁକ୍ରବାର ସକାଳ ପ୍ରାୟ ୧୦ଟା ୩୦ରେ ଆଶ୍ରମର ଚତୁର୍ଥ ମହଲାରୁ ସେ ତଳକୁ ଖସିପଡ଼ିଥିବା ପୁଲିସ କହିଛି।
ଗୁରୁତର ଆହତ ଅବସ୍ଥାରେ ଦୀପକଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଂଶରେ ଗୁରୁତର ଆଘାତ ଲାଗିଥିବା ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଥିବା ସହ ପରିବାରକୁ ମଧ୍ୟ ସୂଚନା ଦିଆଯାଇଛି। ପ୍ରାଥମିକ ତଦନ୍ତରେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ସନ୍ଥ ପ୍ରେମାନନ୍ଦ ମହାରାଜ ରାଧା-କୃଷ୍ଣ ଭକ୍ତି ପାଇଁ ପରିଚିତ ଏବଂ ତାଙ୍କ ଆଶ୍ରମରେ ଦେଶ-ବିଦେଶରୁ ବହୁ ସଂଖ୍ୟକ ଭକ୍ତ ଓ ଅନୁଗାମୀ ଆସିଥାନ୍ତି। ଘଟଣା ପରେ ଆଶ୍ରମ ପରିସରରେ ଚର୍ଚ୍ଚା ଓ ଶୋକର ପରିବେଶ ସୃଷ୍ଟି ହୋଇଛି।

