Bank Strike: ଟଳିଲା ୩ ଦିନିଆ ବ୍ୟାଙ୍କ ଧର୍ମଘଟ, ଆଜିଠୁ ଖୋଲା ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ବଡ଼ ଖବର। ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଦେଶବ୍ୟାପୀ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (IBA) ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ମଧ୍ୟରେ ରବିବାର ରାତିରେ ହୋଇଥିବା ଆଲୋଚନା ପରେ ଧର୍ମଘଟକୁ ଟାଳିବା ନେଇ ସହମତି ହୋଇଛି। ତେଣୁ ଆଜିଠାରୁ ବ୍ୟାଙ୍କ ସେବା ସ୍ୱାଭାବିକ ରହିବ।
ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକର ମୁଖ୍ୟ ଦାବି ମଧ୍ୟରେ ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ରହିଛି। ଅର୍ଥାତ୍ ସମସ୍ତ ଶନିବାରକୁ ବ୍ୟାଙ୍କ ଛୁଟି ଘୋଷଣା କରିବାକୁ ୟୁନିୟନଗୁଡ଼ିକ ଦାବି କରୁଛନ୍ତି। ଏହାସହ ପେନ୍ସନ୍ ଓ ଅନ୍ୟ କିଛି କର୍ମଚାରୀ ସମ୍ପର୍କିତ ଦାବି ମଧ୍ୟ ରହିଛି। ଏହି ଦାବିଗୁଡ଼ିକ ଉପରେ ଆଲୋଚନା ପାଇଁ IBA ଓ UFBUର ପ୍ରତିନିଧିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ।
ଧର୍ମଘଟ ସ୍ଥଗିତ ହେବା ପରେ ବ୍ୟାଙ୍କ ଗ୍ରାହକମାନେ ଆଶ୍ୱସ୍ତ ହୋଇଛନ୍ତି। ଧର୍ମଘଟ ହୋଇଥାନ୍ତା, ସେପ୍ଟେମ୍ବର ୨୬ ଓ ୨୭ର ସପ୍ତାହାନ୍ତ ଛୁଟି ସହ ଲଗାତାର ୫ ଦିନ ବ୍ୟାଙ୍କର ଶାଖା ସେବା ପ୍ରଭାବିତ ହେବାର ଆଶଙ୍କା ଥିଲା। ଏବେ ଧର୍ମଘଟ ଟଳିଥିବାରୁ ଗ୍ରାହକମାନେ ନିୟମିତ ଭାବେ ବ୍ୟାଙ୍କ ଶାଖାରେ କାମ କରିପାରିବେ।

