Shubhanshu Shukla: ମହାକାଶରେ ଆମ୍ବ ସାଲାଡ୍ ଏମିତି ପ୍ରସ୍ତୁତ କରୁଥିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା! ୨୮ ହଜାର କିମି ବେଗରେ ଚାଲୁଥିଲା ‘ରେଷ୍ଟୁରାଣ୍ଟ’
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ମହାକାଶରେ ଖାଦ୍ୟ ପ୍ରସ୍ତୁତିର ଏକ ରୋଚକ ଭିଡିଓ ଶେୟାର କରିଛନ୍ତି। Ax-4 ମିଶନ୍ ସମୟରେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ (ISS)ରେ ସେ ନିଜର ପସନ୍ଦର ଆମ୍ବ ସାଲାଡ୍ କିପରି ପ୍ରସ୍ତୁତ କରୁଥିଲେ, ତାହା ଭିଡିଓରେ ଦେଖାଇଛନ୍ତି। ଶୁଭାଂଶୁ ଏହାକୁ ମଜାଦାର ଭାବେ ବର୍ଣ୍ଣନା କରି ପଚାରିଛନ୍ତି—ଯେତେବେଳେ ଆପଣଙ୍କ ‘ରେଷ୍ଟୁରାଣ୍ଟ’ ପ୍ରତି ଘଣ୍ଟା ପ୍ରାୟ ୨୮ ହଜାର କିଲୋମିଟର ବେଗରେ ଚାଲୁଛି, ସେତେବେଳେ ଲଞ୍ଚରେ କ’ଣ ରହେ?
ଭିଡିଓରେ ଶୁଭାଂଶୁ ଏକ ପ୍ୟାକେଟ୍ରେ ଥିବା ଡିହାଇଡ୍ରେଟେଡ୍ ଆମ୍ବ ସାଲାଡ୍କୁ ପାଣି ମିଶାଇ କରି ପ୍ରସ୍ତୁତ କରୁଥିବା ଦେଖାଯାଇଛି। ରିପୋର୍ଟ ଅନୁସାରେ, ଏଥିପାଇଁ ପ୍ୟାକେଟ୍କୁ ଏକ ବ୍ୟବସ୍ଥା ସହ ଯୋଡ଼ି ଥଣ୍ଡା ପାଣି ଭରାଯାଏ। ପରେ ପ୍ୟାକେଟ୍କୁ ଭଲ ଭାବେ ମିଶାଇ କିଛି ସମୟ ପାଇଁ ଫ୍ରିଜ୍ରେ ରଖାଯାଏ। ଏହାପରେ ମହାକାଶରେ ଖାଇବା ପାଇଁ ଆମ୍ବ ସାଲାଡ୍ ପ୍ରସ୍ତୁତ ହୋଇଯାଏ।
ଶୁଭାଂଶୁ ଶୁକ୍ଲା ଏହା ପୂର୍ବରୁ ମଧ୍ୟ Ax-4 ମିଶନ୍ ସମୟର ଖାଦ୍ୟ ସମ୍ପର୍କିତ ଅନୁଭବ ଶେୟାର କରିଥିଲେ। ତାଙ୍କ ଟିମ୍ ମହାକାଶରେ କେକ୍ ପ୍ରସ୍ତୁତ କରୁଥିବା ଭିଡିଓ ମଧ୍ୟ ସେ ଦେଇଥିଲେ। ୨୦୨୫ର Ax-4 ମିଶନ୍ରେ ଶୁଭାଂଶୁ ଶୁକ୍ଲା ISSରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଥିଲେ। ଏବେ ତାଙ୍କ ନୂଆ ଭିଡିଓ ମହାକାଶରେ ଦୈନନ୍ଦିନ ଜୀବନ କିପରି ପୃଥିବୀଠାରୁ ଭିନ୍ନ, ତାହାର ଏକ ରୋଚକ ଝଲକକୁ ଦର୍ଶାଇଛି ।

