Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Russia Army News: ଚାକିରି ଆଶାରେ ରୁଷିଆ ଯାଇଥିଲେ, ସେନାରେ ଫସିଲେ ୪ ତେଲେଙ୍ଗାନା ଯୁବକ

ହାଇଦ୍ରାବାଦ: ବିଦେଶରେ ଚାକିରି କରିବାର ଆଶା ନେଇ ରୁଷିଆ ଯାଇଥିବା ତେଲେଙ୍ଗାନାର ୪ ଜଣ ଯୁବକ ଏବେ ରୁଷିଆ ସେନାରେ ଫସିଥିବା ଅଭିଯୋଗ ହୋଇଛି। ପରିବାରଲୋକଙ୍କ କହିବା ଅନୁସାରେ, ସାଧାରଣ ଚାକିରିର ପ୍ରତିଶ୍ରୁତି ଦେଇ ଏଜେଣ୍ଟମାନେ ସେମାନଙ୍କୁ ରୁଷିଆ ପଠାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ସାମରିକ ଶିବିରକୁ ନିଆଯାଇ ତାଲିମ ଦିଆଯାଇଥିବା ପରିବାରଗୁଡ଼ିକ ଅଭିଯୋଗ କରିଛନ୍ତି। ଏବେ ସେମାନଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ପରିବାରଲୋକେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ରିପୋର୍ଟ ଅନୁସାରେ, ଭୁକ୍ୟା ରବୀନ୍ଦର, ସିର୍ଶୁ ଅଶୋକ, ମେଗାୱତ ପ୍ରକାଶ ଏବଂ ମହମ୍ମଦ ଅଫଜଲ ଖାନ ପ୍ରାୟ ୬-୭ ମାସ ତଳେ ଚାକିରି ପାଇଁ ରୁଷିଆ ଯାଇଥିଲେ। ସେମାନଙ୍କୁ ହେଲ୍ପର, କ୍ଲିନର, ସୁରକ୍ଷାକର୍ମୀ ଓ ଅନ୍ୟାନ୍ୟ ସାଧାରଣ କାମର ପ୍ରତିଶ୍ରୁତି ଦିଆଯାଇଥିବା କୁହାଯାଉଛି। ପ୍ରତ୍ୟେକ ଯୁବକ ଏଜେଣ୍ଟଙ୍କୁ ପ୍ରାୟ ୩ ଲକ୍ଷ ଟଙ୍କା ଦେଇଥିବା ପରିବାରଲୋକେ କହିଛନ୍ତି। ରୁଷିଆ ପହଞ୍ଚିବା ପରେ ସେମାନଙ୍କୁ ଏକ ସାମରିକ ଶିବିରକୁ ନିଆଯାଇଥିଲା ଏବଂ ମୋବାଇଲ୍ ଫୋନ୍ ନେଇ ନିଆଯିବା ସହ ବନ୍ଧୁକ ଚାଳନା ଓ ସାମରିକ ତାଲିମ ଦିଆଯାଇଥିବା ଅଭିଯୋଗ ହୋଇଛି। ଜଣେ ଯୁବକ ସୋସିଆଲ ମିଡିଆରେ ପଠାଇଥିବା ଭିଡିଓରେ ସେମାନେ ଏକ ଜଙ୍ଗଲ ଅଞ୍ଚଳରେ ରହୁଥିବା ଏବଂ ବାହାରିବାକୁ ଚେଷ୍ଟା କଲେ ଗଛରେ ବାନ୍ଧି ଦିଆଯାଇଥିବା ଦାବି କରିଛନ୍ତି।

ଏହି ଘଟଣା ପରେ ଚାରି ପରିବାର ତେଲେଙ୍ଗାନାର ”ସିଏମ୍ ପ୍ରବାସୀ ପ୍ରଜାବାଣୀ”ରେ ଅଭିଯୋଗ କରି ସହାୟତା ଲୋଡ଼ିଛନ୍ତି। ଅଭିଯୋଗକୁ ରାଜ୍ୟର ଏନ୍‌ଆର୍‌ଆଇ ବିଭାଗକୁ ପଠାଯାଇଥିବା ବେଳେ, ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଓ ମସ୍କୋସ୍ଥିତ ଭାରତୀୟ ଦୂତାବାସ ସହ ସମନ୍ୱୟ କରି ଯୁବକମାନଙ୍କ ସୁରକ୍ଷିତ ମୁକ୍ତି ଓ ଭାରତ ଫେରାଇ ଆଣିବା ଉଦ୍ୟମ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବୈଦେଶିକ ମନ୍ତ୍ରାଳୟର ତଥ୍ୟ ଅନୁସାରେ ରୁଷିଆ ସଶସ୍ତ୍ର ବାହିନୀରେ ୨୨୭ ଜଣ ଭାରତୀୟ ନିଯୁକ୍ତ ହୋଇଥିବା ତଥ୍ୟ ମିଳିଛି। ସେଥିରୁ ୧୩୯ ଜଣ ମୁକ୍ତ ହୋଇଥିବା ବେଳେ ୫୧ ଜଣଙ୍କ ମୃତ୍ୟୁ ଘଟିଥିବା ସରକାର ପକ୍ଷରୁ କୁହାଯାଇଛି। ଅବଶିଷ୍ଟ ଭାରତୀୟଙ୍କ ମୁକ୍ତି ଓ ପ୍ରତ୍ୟାବର୍ତ୍ତନ ପାଇଁ ରୁଷିଆ ସହ ଆଲୋଚନା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ