Kedarnath Yatra: କେଦାରନାଥ ଧାମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ! ଫସିଲେ ହଜାର ହଜାର ଶ୍ରଦ୍ଧାଳୁ, ୯ ହଜାରଙ୍କୁ ଉଦ୍ଧାର
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ପ୍ରବଳ ବର୍ଷା ଓ ବରଫପାତ ଯୋଗୁଁ କେଦାରନାଥ ଧାମକୁ ଯାଉଥିବା ପଥ ପ୍ରଭାବିତ ହୋଇଛି। ଭୂସ୍ଖଳନ ଯୋଗୁଁ କେଦାରନାଥ ପଦଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଅନେକ ଶ୍ରଦ୍ଧାଳୁ ଫସି ରହିଥିଲେ। ସ୍ଥିତିକୁ ଦୃଷ୍ଟିରେ ରଖି SDRF, ପ୍ରଶାସନ ଓ ଆପଦା ପରିଚାଳନା ଟିମ୍ ପକ୍ଷରୁ ଉଦ୍ଧାର ଅଭିଯାନ ଜାରି ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୯ ହଜାର ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସୋନପ୍ରୟାଗ SDRF ଟିମ୍ ଚିଡ଼ବାସା ହେଲିପ୍ୟାଡ୍ ନିକଟ ଅଞ୍ଚଳରେ ରିଲିଫ୍ ଓ ରେସ୍କ୍ୟୁ ଅପରେସନ୍ ଚଳାଇଛି। ଭୂସ୍ଖଳନ ପରେ ଏହି ଅଞ୍ଚଳ ଯାତାୟାତ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ତେଣୁ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁଙ୍କୁ ପର୍ଯ୍ୟାୟକ୍ରମେ ସୁରକ୍ଷିତ ଅଞ୍ଚଳକୁ ନେଇଯାଉଛନ୍ତି। ପାଣିପାଗ ଓ ରାସ୍ତାର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।
ତେବେ ଏହି ମାର୍ଗରେ ରବିବାର ସନ୍ଧ୍ୟାରେ ଚିଡ଼ବାସା ହେଲିପ୍ୟାଡ୍ ନିକଟରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା। ଏଥିରେ ଉତ୍ତରପ୍ରଦେଶର ଇଟାୱାର ୫ ବର୍ଷୀୟ ଶିଶୁ ଯଶଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବାପା ଗୁରୁତର ଆହତ ହୋଇଥିଲେ। କେଦାରନାଥ ଧାମରୁ ଦର୍ଶନ ସାରି ବାପାଙ୍କ ସହ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା।

