Shree Gundicha Temple: ଦୀର୍ଘ ପ୍ରତୀକ୍ଷାର ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର
ପୁରୀ: ଭକ୍ତଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ଦର୍ଶନ ପାଇଁ ଆଜି ସକାଳ ୭ଟା ୪୫ରେ ଖୋଲିଛି ଶ୍ରୀଗୁଣ୍ଡିଚା ମନ୍ଦିର। ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଭକ୍ତମାନେ ସମ୍ପୂର୍ଣ୍ଣ ମାଗଣାରେ ମନ୍ଦିରକୁ ପ୍ରବେଶ କରିପାରିବେ। ଏହାପରେ ପ୍ରତି ବ୍ୟକ୍ତିଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି।
୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ, ଛୋଟ ପିଲା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧା ପାଇଁ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏହାସହ ଭକ୍ତଙ୍କ ପାଇଁ ମାଗଣା ଜୋତା ଓ ମୋବାଇଲ୍ ରଖିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ମନ୍ଦିର ପରିସରରେ ପାନୀୟ ଜଳ ଓ ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି।
ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ। ଦୀର୍ଘ ସମୟ ପରେ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

