Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Police: ମଧ୍ୟପ୍ରଦେଶରେ ଓଡ଼ିଶା ପୋଲିସ୍ ଉପରେ ଆକ୍ରମଣ! ପୋଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଗଞ୍ଜେଇ ମାମଲାରେ ଅଭିଯୁକ୍ତକୁ ଛଡ଼ାଇନେଲେ ଦୁର୍ବୃତ୍ତ

ଭୁବନେଶ୍ଵର: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ କନ୍ଧମାଳ ପୁଲିସ ଟିମ୍‌ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ୪ଟି ଗାଡ଼ିରେ ଆସିଥିବା ଦୁର୍ବୃତ୍ତମାନେ ପୁଲିସ ଗାଡ଼ିକୁ ଅଟକାଇ ଗୁଳିମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାପରେ ପୁଲିସ ହେପାଜତରେ ଥିବା ଗଞ୍ଜେଇ ମାମଲାର ଅଭିଯୁକ୍ତ ଆଦିତ୍ୟ ମିଶ୍ର ଓରଫ ରାକେଶ ଓରଫ ସାୱରିୟାକୁ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଏନ୍‌ଡିପିଏସ୍‌ ଆଇନ ଅଧୀନରେ ଆଦିତ୍ୟକୁ ଗିରଫ କରି କନ୍ଧମାଳ ପୁଲିସ ଓଡ଼ିଶା ଆଣିଥିଲା। ରିମାଣ୍ଡ ଶେଷ ହେବା ପରେ ତାକୁ ରିୱା ଜିଲ୍ଲା କୋର୍ଟରେ ହାଜର କରାଇବା ପାଇଁ ୮ ଜଣିଆ ପୁଲିସ ଟିମ୍‌ ନେଇ ଯାଉଥିଲା। ରିୱା-ସିଦ୍ଧି ସୀମାବର୍ତ୍ତୀ ଛୁହିୟା ଘାଟୀ ଅଞ୍ଚଳରେ ୪ଟି ଗାଡ଼ିରେ ଆସିଥିବା ଦୁର୍ବୃତ୍ତମାନେ ପୁଲିସ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିର ଚକାକୁ ଗୁଳି କରି ପଙ୍କଚର କରିବା ସହ ପୁଲିସ ଟିମ୍‌ ଉପରେ ଲଙ୍କାଗୁଣ୍ଡ ସ୍ପ୍ରେ କରିଥିବା ଅଭିଯୋଗ ରହିଛି।

ଏହାସହ ବେସ୍‌ବଲ୍‌ ବ୍ୟାଟ୍‌ରେ ପୁଲିସ ଗାଡ଼ିର କାଚ ଭାଙ୍ଗିବା ଏବଂ ଭୟଭୀତ କରିବା ପାଇଁ ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଇଥିବା ମଧ୍ୟ ସୂଚନା ମିଳିଛି। ଆକ୍ରମଣ ପରେ ଅଭିଯୁକ୍ତ ଆଦିତ୍ୟକୁ ସାଙ୍ଗରେ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଘଟଣା ଖବର ପାଇ ସିଦ୍ଧି ଓ ରିୱାର ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫେରାର ଅଭିଯୁକ୍ତ ଓ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories