Khagaria School Accident: ସରକାରୀ ସ୍କୁଲର ସିଡ଼ି ଭୁଶୁଡ଼ି ୯ ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ, ୩ ଶିଶୁ ଆହତ
ବିହାର: ବିହାରର ଖଗଡ଼ିଆ ଜିଲ୍ଲାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ସିଡ଼ି ହଠାତ୍ ଭୁଶୁଡ଼ି ପଡ଼ିବାରୁ ଜଣେ ୯ ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କୁ ରିତିକା କୁମାରୀ ବୋଲି ଚିହ୍ନଟ କରାଯାଇଛି। ମାନସୀ ଥାନା ଅଧୀନ ଅମନୀ ଗାଁର ପାସୱାନ ଟୋଲାସ୍ଥିତ ସ୍କୁଲରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସିଡ଼ି ଭୁଶୁଡ଼ିବା ସମୟରେ ମଲବା ତଳେ ରିତିକାଙ୍କ ସମେତ ଅନ୍ୟ କିଛି ଶିଶୁ ଫସିଯାଇଥିଲେ।
ଘଟଣାରେ ଆଉ ୩ ଜଣ ଶିଶୁ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ସ୍କୁଲ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ମଲବା ତଳୁ ଶିଶୁମାନଙ୍କୁ ବାହାର କରିଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଖଗଡ଼ିଆ ସଦର ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍କୁଲର ସିଡ଼ି କେଉଁ କାରଣରୁ ଭୁଶୁଡ଼ିଲା ଏବଂ ବିଦ୍ୟାଳୟ ଭବନର ସୁରକ୍ଷା ବ୍ୟବସ୍ଥା କିଭଳି ଥିଲା, ତାହା ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣା ପରେ ସ୍କୁଲ ଭବନର ନିର୍ମାଣ ଓ ରକ୍ଷଣାବେକ୍ଷଣ ନେଇ ଯାଞ୍ଚର ଆବଶ୍ୟକତା ନେଇ ଦାବି ଉଠିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

