Odisha flood Compensation: ଦଶହରା ପୂର୍ବରୁ ମିଳିବ ବର୍ଷା-ବନ୍ୟା କ୍ଷତିପୂରଣ, ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ଓଡ଼ିଶାବାସୀଙ୍କ ପାଇଁ ବଡ଼ ଖବର। ରାଜୀବ ଭବନରେ ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ସହ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଦୀର୍ଘ ସମୟର ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ୨୮ଟି ଜିଲ୍ଲା ପ୍ରଭାବିତ ହୋଇଛି।
ଦକ୍ଷିଣ ଓଡ଼ିଶାରେ ନିକଟରେ ଗଭୀର ଅବପାତଜନିତ ବର୍ଷାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାକୁ ନଜରରେ ରଖି ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ପେଶାଲ ରିଲିଫ କମିଶନରଙ୍କ ପକ୍ଷରୁ ମୋଟ ୧୦ କୋଟି ଟଙ୍କା ଦିଆଯାଇଛି। ଅନ୍ୟପକ୍ଷରେ, କେନ୍ଦ୍ରାପଡ଼ା ପାଇଁ ୧୬.୪ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୧୧.୨୧ କୋଟି, ଯାଜପୁର ପାଇଁ ୫୨.୦୪ କୋଟି ମଧ୍ୟରୁ ୩୩.୮୦ କୋଟି ଏବଂ ଭଦ୍ରକ ପାଇଁ ୬୪.୫୪ କୋଟି ଟଙ୍କା ମଧ୍ୟରୁ ୪୩.୨୮ କୋଟି ଟଙ୍କା କ୍ଷତିପୂରଣ ବାବଦରେ ବ୍ୟୟ ହୋଇସାରିଛି।
ସେହିପରି ବାଲେଶ୍ୱର ଜିଲ୍ଲା ପାଇଁ ୨୬.୯୨ କୋଟି ଟଙ୍କା ଦିଆଯାଇଥିବା ବେଳେ ଏଯାବତ୍ ପ୍ରାୟ ୫.୯୪ କୋଟି ଟଙ୍କା କ୍ଷତିପୂରଣ ବାବଦରେ ବ୍ୟୟ ହୋଇଛି। ବାରମ୍ବାର ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ କ୍ଷତିପୂରଣ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ ସମସ୍ତ ପ୍ରଭାବିତ ଜିଲ୍ଲାରେ କ୍ଷତିପୂରଣ ପ୍ରଦାନ ସମାପ୍ତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

