Jaipur Cyber Fraud: Apple Customer Support ସାଜି ଆମେରିକୀୟଙ୍କୁ ଠକେଇ, ଫେକ୍ କଲ୍ ସେଣ୍ଟରରେ ଚଢ଼ାଉ; ୧୪ ଗିରଫ
ନୂଆଦିଲ୍ଲୀ: ଜୟପୁରରେ ଏକ ନକଲି ସାଇବର ଠକେଇ କଲ୍ ସେଣ୍ଟରର ପର୍ଦ୍ଦାଫାଶ କରିଛି ପୁଲିସ। ବିଦ୍ୟାଧର ନଗର ଅଞ୍ଚଳରେ ଚାଲିଥିବା ଏହି ଫେକ୍ କଲ୍ ସେଣ୍ଟରରେ ଅଭିଯୁକ୍ତମାନେ ନିଜକୁ Apple Customer Support ଏବଂ Technical Support କର୍ମଚାରୀ ବୋଲି ପରିଚୟ ଦେଇ ଆମେରିକାର ନାଗରିକଙ୍କୁ ଠକେଇ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମିଳିତ ଚଢ଼ାଉ କରି ୧୪ ଜଣଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁସାରେ, ଅଭିଯୁକ୍ତମାନେ ଆମେରିକୀୟ ନାଗରିକଙ୍କୁ ଫେକ୍ SMS ଏବଂ ମେସେଜ୍ ପଠାଉଥିଲେ। ଏଥିରେ ୩୯୯, ୪୯୯ ଓ ୬୯୯ ଆମେରିକୀୟ ଡଲାରର ପ୍ରି-ଆପ୍ରୁଭ୍ଡ ଚାର୍ଜ ଲାଗିଥିବା ଭଳି ଦେଖାଯାଉଥିଲା। ପରେ ଏହି ଚାର୍ଜ ନାମରେ ଲୋକଙ୍କଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରାଯାଉଥିଲା। ଫେକ୍ କଲ୍ ସେଣ୍ଟରରେ ପୁଲିସ ଚଢ଼ାଉ କରି ୨୪ଟି ମୋବାଇଲ୍ ଫୋନ୍, ୧୩ଟି ଲାପଟପ୍, ରାଉଟର, ସିମ୍ କାର୍ଡ ସମେତ ବିଭିନ୍ନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ କରିଛି।
ସାଇବର କ୍ରାଇମ୍ ୟୁନିଟ୍, ଜୟପୁର ୱେଷ୍ଟ ପୁଲିସ ଏବଂ DSTର ମିଳିତ ଅଭିଯାନରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ଏହି ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଠକେଇ ମାଧ୍ୟମରେ କେତେ ଟଙ୍କା କାରବାର ହୋଇଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

